ଉଠା ଦୋକାନୀଙ୍କ ବଡିଗାର୍ଡଙ୍କୁ ନେଇ ଚର୍ଚ୍ଚା । ଦୋକାନୀଙ୍କୁ ସୁରକ୍ଷା ଦେଇଛନ୍ତି ୨ ବନ୍ଧୁକଧାରୀ, ପଢନ୍ତୁ କାହିଁକି ?

535

କନକ ବ୍ୟୁରୋ : ସାଧାରଣତଃ ନେତା ଓ ବଡ଼ ବଡ଼ିଆଙ୍କୁ ବନ୍ଧୁକ ସହ ସୁରକ୍ଷା ଦିଆଯାଉଥିବା ଦେଖିବାକୁ ମିଳେ । କିନ୍ତୁ କେବେ ଛୋଟିଆ ଠେଲା ଦୋକାନୀଙ୍କୁ ବନ୍ଧୁକ ସହ ସୁରକ୍ଷା ଦେଇଥିବା ଦେଖିଛନ୍ତି କି ? ଉତ୍ତର ପ୍ରଦେଶର ଏଟାରୁ ଆସିଛି କିଛି ଏମିତି ଚିତ୍ର, ଯେଉଁଠି ଜଣେ ଠେଲା ବା ଉଠା ଦୋକାନୀଙ୍କୁ ଦୁଇ ବନ୍ଧୁକଧାରୀ ସୁରକ୍ଷା ଦେଇଛନ୍ତି । ବନ୍ଧୁକଧାରୀ ହାତରେ ଏକେ-୪୭ ବନ୍ଧୁକ ଧରି ଉଠା ଦୋକାନୀଙ୍କୁ ସୁରକ୍ଷା ଦେଇଛନ୍ତି ।

ରାସ୍ତା କଡ଼ରେ କପଡ଼ା ବେପାର କରୁଥିବା ଏହି ଉଠାଦୋକାନୀକୁ ଯେ କେହି ବି ଦେଖୁଛି, ସିଏ ଆଶ୍ଚର୍ଯ୍ୟ ହୋଇ ପଡ଼ୁଛି । ପ୍ରଥମେ ସମସ୍ତେ ଭାବିଲେ ଯେ ଏହି ଦୁଇ ବନ୍ଧୁକଧାରୀ ଗ୍ରାହକ ହୋଇଥିବେ । କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ଦୁଇ ବନ୍ଧୁକଧାରୀ ଉଠା ଦୋକାନୀଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଛନ୍ତି । ରାମେଶ୍ୱର ଦୟାଲ ନାମକ ଏହି ଉଠା ଦୋକାନୀ ରାସ୍ତା କଡ଼ରେ କପଡ଼ା ବିକ୍ରି କରନ୍ତି । ରାମେଶ୍ୱରଙ୍କ ଜୀବନକୁ ବିପଦ ଅଛି, ତେଣୁ ତାଙ୍କୁ କୋର୍ଟ ସୁରକ୍ଷା ଯୋଗାଇ ଦେଇଛନ୍ତି । ଯାହା ପରେ ତାଙ୍କ ଉଠା ଦୋକାନୀ ଆଗରେ ଦୁଇଜଣ ବନ୍ଧୁକଧାରୀଙ୍କୁ ନିୟୋଜିତ କରାଯାଇଛି ।

ଜୁନ୍ ୩ ତାରିଖରେ ରାମେଶ୍ୱର କୋର୍ଟରେ ଏକ ମାମଲା କରିଥିଲେ ଯେ ପୂର୍ବତନ ବିଧାୟକ ଓ କିଛି ନେତା ତାଙ୍କ ଠାରୁ ଜୋରଜବରଦସ୍ତି ଜମି ଛଡ଼ାଇ ନେଇଥିଲେ । ଏବେବି କୋର୍ଟରେ ମାମଲା ଚାଲିଥିବା ବେଳେ ଅଭିଯୁକ୍ତମାନେ ରାମେଶ୍ୱରଙ୍କ ଅଭିଯୋଗକୁ ମିଛ ବୋଲି କହି ମାମଲାକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ । ତେବେ ମାମଲାର ଶୁଣାଣି ବେଳେ ରାମେଶ୍ୱରଙ୍କୁ କୌଣସି ସୁରକ୍ଷା ଦିଆଯାଇନଥିବା ଦେଖି ବିଚାରପତି ଆଶ୍ଚର୍ଯ୍ୟ ହୋଇଥିଲେ । ଯାହା ପରେ ଜଜ୍ ପୋଲିସକୁ ରାମେଶ୍ୱରଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ କୋର୍ଟଙ୍କ ଆଦେଶ ପରେ ରାମେଶ୍ୱରଙ୍କ ସୁରକ୍ଷା ପାଇ ୨ଜଣ ବନ୍ଧୁକଧାରୀଙ୍କୁ ମୁତୟନ କରାଯାଇଛି ।