ୟୁପି ଓ ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ବିଷାକ୍ତ ମଦ: ମଦ ଯୋଗୁଁ ଗଲାଣି ୧୦୦ରୁ ଅଧିକ ଜୀବନ, ଶତାଧିକ ହସ୍ପିଟାଲରେ ଭର୍ତ୍ତି

145

କନକ ବ୍ୟୁରୋ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ବିଷାକ୍ତ ମଦ । ବିଷାକ୍ତ ମଦ ଯୋଗୁଁ ଉତ୍ତରପ୍ରଦେଶଏବଂ ଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ଶହେ ଟପିଛି । ଶତାଧିକ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୟୁପିରେ ୭୮ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଅତ୍ୟନ୍ତ ସଂକଟାପର୍ଣ୍ଣ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । କେବଳ ଉତ୍ତରପ୍ରଦେଶର ଶାହାରନପୁରରେ ୬୪ଜଣ, କୁଶିନଗରରେ ୧୪ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଳାରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତେଣୁ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସୁଧା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଅଧିକାଂଶ ବିଷାକ୍ତ ମଦ ପିଇବା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ରାଜ୍ୟରେ ଅବକାରୀ ପଦାଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।

ଉତ୍ତରପ୍ରଦେଶରେ ଏହି ମାମଲାରେ ୧୭୫ଜଣଙ୍କୁ ଗିରଫ କରାଯାଇଛି । ଉତରାଖଣ୍ଡରେ ୧୫ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ଜବତ କରାଯାଉଛି । ଏହି ଘଟଣା ଯୋଗୀ ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।