ବିଷପିଇ ଗୋଟିଏ ପରିବାରର ୯ ମୃତ, ଜାଣନ୍ତୁ କାରଣ

443

କନକ ବ୍ୟୁରୋ : ମହାରାଷ୍ଟ୍ର ସାଂଗଲୀରୁ ଆସିଛି ଛାତି ଥରାଇ ଦେବା ଭଳି ଖବର । ଏଠାରେ ଗୋଟିଏ ପରିବାରର ୯ ଜଣ ବ୍ୟକ୍ତି ଏକାସାଂଗରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଗୁଡିକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରିଛି କି ଋଣବୋଝ କାରଣରୁ ଏଭଳି ଘଟଣା ଘଟିଛି ।

ପୋଲିସର ସୂଚନା ମୁତାବକ ମୃତକ ୯ ଜଣ ଯାକ ଗୋଟିଏ ପରିବାରର ଓ ଏହା ଜଣେ ଡାକ୍ତରଙ୍କ ପରିବାର ବୋଲି ପୋଲିସ କହିଛି । ଡାକ୍ତରଙ୍କର ଗୋଟିଏ ଘରୁ ୬ ଜଣଙ୍କ ଶବ ମିଳିଥିବା ବେଳେ ଅନ୍ୟଏକ ଘରୁ ୩ ଜଣଙ୍କ ଶବ ଜବତ କରିଛି ପୋଲିସ ।

ମହାରାଷ୍ଟ୍ର ସାଂଗଲୀ ଜିଲ୍ଲା ନରବାଡ ରୋଡ ସ୍ଥିତ ଅମ୍ବିକାନଗର ଛକରେ ଡା ବନମୋରଙ୍କ ପରିବାର ରହନ୍ତି । ସେମାନଙ୍କର ଗୋଟିଏ ଘର ଅମ୍ବିକାନଗରରେ ଓ ଅନ୍ୟ ଘରଟି ରାଜଧାନୀ କର୍ନରରେ ରହିଛି । ସୋମବାର ସକାଳେ ଦୁଇଟି ଯାକ ଘରର କବାଟ ଡେରି ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଏନେଇ ପଡୋସୀମାନେ ସନ୍ଦେହ କରି କବାଟ ଖୋଲି ଦେଖିଥିଲେ କି ଗୋଟିଏ ଘରେ ୬ ଟି ମୃତଦେହ ପଡି ରହିଥିଲା । ଏହାପରେ ଅନ୍ୟଘରଟିର କବାଟ ଖୋଲି ଦେଖିବା ବେଳକୁ ସେଠାରେ ବି ୩ ଟି ଶବ ପଡି ରହିଥିଲା । ଏହାପରେ ପଡୋସୀମାନେ ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ।

ଏନେଇ ସାଂଗଲୀ ଜିଲ୍ଲା ପୋଲିସ ଅଧିକ୍ଷକ ଦିକ୍ଷୀତ ଗୌତମ କହିଛନ୍ତି କି ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଏହାସହ ପଡୋସୀଙ୍କ ବୟାନରୁ ଏଭଳି ଆତ୍ମହତ୍ୟା ପଛରେ ଋଣ ବୋଝ ହୋଇପାରେ ବୋଲି ଅନୁମାନ କରାଯାଉଛି ।