୨୩ ଦିନର ଶିଶୁ ପେଟରେ ୮ ଭ୍ରୁଣ! ଅପରେସନ୍ ସମୟରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତରୀ ଦଳ

10,595

କନକ ବ୍ୟୁରୋ: ୨୩ ଦିନର ନବଜାତ ପେଟରେ ୮ଟି ଶିଶୁ ଭ୍ରୁଣ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଏକଦମ୍ ସତ । ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଘଟିଛି ଏଭଳି ଘଟଣା ।

ରାଞ୍ଚି ରାମଗଡ଼ ଜିଲ୍ଲାର ଜଣେ ୨୩ ଦିନର ଶିଶୁ କନ୍ୟା ପେଟରେ ଥିବା ୮ଟି ଭ୍ରୂଣକୁ ରାଞ୍ଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରି ବାହାର କରାଯାଇଛି । ଏହି ‘ଭ୍ରୂଣ-ଭିତରେ-ଭ୍ରୂଣ’ ଘଟଣା ବିଶ୍ବରେ ପ୍ରଥମ ‌ହୋଇପାରେ ବୋଲି କହି ଉକ୍ତ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି, ନଭେମ୍ବର ୧ ତାରିଖ ଦିନ ଉକ୍ତ ନବଜାତକର ଅସ୍ତ୍ରୋପଚାର କରାଯାଇଥିଲା। ଏବେ ସେ ଶୀଘ୍ର ସୁସ୍ଥ ହେଉଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ , ‘ଫେଟସ୍‌-ଇନ୍‌-ଫେଟସ୍’ ଅତ୍ୟନ୍ତ ବିରଳ ଘଟଣା। ଏଥିରେ ଅପପୁଷ୍ଟିର ସରବ୍ୟ ହୋଇଥିବା ମେରୁଦଣ୍ଡୀ ଭ୍ରୂଣଟି ତା’ର ଯମଜ ଭ୍ରୂଣ ଶରୀର ଭିତରେ ରହିଯାଏ। ଯାହା ଏହି ନବଜାତ ଘଟଣାରେ ଘଟିଛି । ‘ରାଣୀ ଚିଲଡ୍ରେନ୍ସ ହସ୍ପିଟାଲ୍‌’ରେ ନବଜାତକର ଅସ୍ତ୍ରୋପଚାର କରିଥିବା ପେଡିଆଟ୍ରିକ୍‌ ସର୍ଜନ୍‌ ଡାକ୍ତର ମହମ୍ମଦ୍‌ ଇମ୍ରାନ୍‌ ଗୁରୁବାର ଦିନ କହିଛନ୍ତି, ‘ଭ୍ରୂଣ-ଭିତରେ-ଭ୍ରୂଣ’ ଘଟଣା ଜୀବନ୍ତ ଜନ୍ମ ନେଉଥିବା ୫ ଲକ୍ଷ ନବଜାତକଙ୍କ ମଧ୍ୟରୁ ଜଣକଠାରେ ଦେଖାଯାଏ। ଏପର୍ୟ୍ୟନ୍ତ ଜଣେ ନବଜାତକ ଦେହରେ ଏତେଗୁଡ଼ିଏ ଭ୍ରୂଣ ଥିବା ଦେଖି ନ ଥିଲି। ଏଭଳି‌ କ୍ଷେତ୍ରରେ ଅଧିକାଂଶଙ୍କ ଦେହରେ ଗୋଟିଏ ଭ୍ରୂଣ ଥିବା କଥା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେଡିକାଲ୍‌ ଜର୍ଣ୍ଣାଲ୍‌’ରେ ରେକର୍ଡ କରାଯାଇଛି। ତେଣୁ, ଏହା ଉପରେ ମୁଁ ଗୋଟାଏ ରିପୋର୍ଟ ପ୍ରସ୍ତୁତି କରୁଛି।

ସେ କହିଛନ୍ତି, ଅକ୍ଟୋବର ୧୧ ତାରିଖରେ ରାମଗଡ଼ ଡାକ୍ତରଖାନାରେ ଝିଅଟି ଜନ୍ମ ହେବା ପରେ ବାପାମାଆ ତା’ର ପେଟ ଭିତରେ କିଛି ଟାଣୁଆ ଜିନିଷ ଥିବାର ଜାଣିପାରିଲେ। ଛୁଆଟିର ହାବଭାବ ସ୍ବାଭାବିକ ଥିଲେ ବି ଡାକ୍ତରୀ ପରାମର୍ଶ ନିମନ୍ତେ ଅକ୍ଟୋବର ୨୮ ତାରିଖ ଦିନ ସେମାନେ ‘ରାଣୀ ଚିଲ୍‌ଡ୍ରେନ୍‌ସ୍‌ ହସ୍ପିଟାଲ୍‌’କୁ ଆଣିଥିଲେ। ତା’ର ଛାତି ତଳକୁ ‘ଟ୍ୟୁମର୍‌’ ଭଳି କିଛି ଅଛି ବୋଲି ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଲା। ତେଣୁ, ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ନିଷ୍ପତ୍ତି ନେଲେ। କିନ୍ତୁ, ଅସ୍ତ୍ରୋପଚାର ପରେ ଶିଶୁ କନ୍ୟା ପେଟରୁ ଭ୍ରୂଣଗୁଡ଼ିକ ବାହାରିଲା।