ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ୍ : ୧୦୦ କିଲୋମିଟର ବେଗରେ ବହିଲା ପବନ, ୭ ଜଣଙ୍କର ମୃତ୍ୟୁ

260

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଙ୍ଗାଲାଦେଶରେ ସ୍ଥଳଭାଗ ଛୁଇଁଛି । ଗତକାଲି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା । ବାତ୍ୟା ଯୋଗୁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ମଧ୍ୟ ସାମିଲ ହୋଇଛନ୍ତି । ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପବନ ଯୋଗୁ ଅନେକ ଗଛ ଉପୁଡି ପଡ଼ିଛି । ଏହା ସହ ଅନେକ ଘର ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଏଥି ସହିତ ପ୍ରବଳ ବଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପାଇଁ ୨୮ ହଜାର ୧୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏପଟେ ବାତ୍ୟା ସିତ୍ରାଙ୍ଗ ଦୁର୍ବଳ ହୋଇଛି । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା । ଆଗାମୀ ୩ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି ଅଂଚଳରେ ପ୍ରବଳ ବର୍ଷା ଲାଗିରହିଛି । ତେଣୁ ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।