୬୦ ବର୍ଷରେ ୪୦୦ ଦୁର୍ଘଟଣା, ୨୦୦ ଯବାନ୍ ସହିଦ୍ ,୬୦ ନାଗରିକଙ୍କ ମୃତ୍ୟୁ, ଏବେ ପୁଣିଥରେ ରାଜସ୍ଥାନରେ କାଳ ହେଲା ଏମଆଇଜି-୨୧

209

କନକ ବ୍ୟୁରୋ: ବାୟୁ ସେନା ପାଇଁ କାଳ ହୋଇଛି ଲଢୁଆ ବିମାନ MIG-21 । ୧୯୬୦ ଦଶକରେ ବାୟୁସେନାରେ ସାମିଲ ହୋଇଥିବା ଏହି ବିମାନ ୧୯୭୧ରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ହେଲେ ବାରମ୍ବାର ଦୁର୍ଘଟଣାର ଶିକାର ହେବା ପରେ ଏହାର ଅସ୍ତିତ୍ୱକୁ ନେଇ ଏବେ ପ୍ରଶ୍ନ ।

୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ସମୟର MIG-21 ମିଗ୍ ର ନାଁ ଶୁଣିଲେ ଶତ୍ରୁ ଡରୁଥିଲେ । କ୍ରମାଗତ ୬ ଦଶନ୍ଧି ଯାଏଁ ଏହାକୁ ଭାରତୀୟ ସେନାର ଶକ୍ତି ବୋଲି କୁହାଯାଉଥିଲା । କିନ୍ତୁ କିଛି ବର୍ଷ ଧରି ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ସୋମବାର ଆଉ ଏକ ଏମଆଇଜି ୨୧ ପୁଣି ଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜସ୍ଥାନ ହନୁମାନଗଡରେ ଏମଆଇଜି ୨୧ ଏକ ଘର ଉପରେ ଖସିପଡିବାରୁ ୨ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଛି । କିଛି ଘର ମଧ୍ୟ ଭାଙ୍ଗି ମାଟିରେ ମିଶିଛି ।

ଆଜି ସକାଳ ସମୟରେ ବିମାନଟି ନିୟମିତ ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିଥିଲା । ହେଲେ ହନୁମାନଗଡ ସିଧା ବିମାନଟି ଖସିପଡିଲା । ଏଥିରେ ଥିବା ୨ ଜଣ ପାଇଲଟ୍ ନିଜ ପ୍ରାଣ ବଞ୍ଚାଇବାରେ ସଫଳ ହୋଇଛନ୍ତି । MIG-21 ଏପରି ଦୁର୍ଘଟଣା ଘଟଇବାରେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଥରେ ଦୁଇ ଥର ନୁହେଁ ୬୦ ଥର ଦୁର୍ଘଟଣାର ଶିକାର ହୋଇସାରିଛି ଏହି ଲଢୁଆ ବିମାନ ।

ହେଲେ MIG-21 କ୍ରାସ୍ ହେବାର ଲମ୍ବା ଇତିହାସ ରହିଛି । ଏୟାର ଫୋର୍ସର ଏହି ବିମାନ୬୦ ବର୍ଷରେ ୪୦୦ଥର କ୍ରାସ୍ ହୋଇଛି । ଏସବୁ ଦୁର୍ଘଟଣାରେ ୨୦୦ ଯବାନ୍ ସହିଦ ହୋଇଥିବାବେଳେ ୬୦ ଜଣ ସାଧାରଣ ନଗରିକଙ୍କ ମୃତ୍ୟୁ ହୋଇସାରିଛି । ତେଣୁ ଏହାକୁ ‘ମୃତ୍ୟୁର ଉଡନ୍ତା ସିନ୍ଧୁକ’ ବୋଲି କୁହାଯାଉଛି ।

MIG-21ର ବିମାନକୁ ୧୯୬୦ରେ ଭାରରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଏହା ହେଉଛି ଦୀର୍ଘ ବର୍ଷ ଧରି ସେବା ଯୋଗାଇଥିବା ଲଢୁଆ ବିମାନ ।

ପ୍ରଥମେ ଋଷ ଠାରୁ ସିଙ୍ଗଲ ଇଞ୍ଜିନ୍ ଥିବା MIG-21 ବିମାନ ଭାରତକୁ ମିଳିଥିବାବେଳେ ସମୟକ୍ରମେ ଏହାର କ୍ଷମତାକୁ ବୃଦ୍ଧି କରାଗଲା । ଏବେ ଏହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଉଛି ।
୨୦୦୦ରେ ମିଗ୍ -୨୧ କୁ ନୂଆ ନୂଆ ଅସ୍ତ୍ରଶସ୍ତ୍ରରେ ଅପଗ୍ରେଡ କରାଗଲା । ଏହାପରେ ମଧ୍ୟ ଏହି ବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ଦେଖାଯାଉଛି ।