ଅଶାନ୍ତ କର୍ଣ୍ଣାଟକ । ବିଜେପି ନେତାଙ୍କୁ ହତ୍ୟା ପରେ ଏବେ ସଂଖ୍ୟାଲଘୁ ଯୁବକଙ୍କୁ ହତ୍ୟା । ଅଞ୍ଚଳରେ ୧୪୪ ଧାରା ଜାରି ।

502

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ହତ୍ୟା କରାଯିବା ପରେ ଏବେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହି ଘଟଣା ପରେ ମେଙ୍ଗାଲୁରୁରେ ଜଣେ ସଂଖ୍ୟାଲଘୁ ଯୁବକକୁ ନିର୍ମମ ହତ୍ୟା କରାଯାଇଛି । ମେଙ୍ଗାଲୁରୁ ଉପକଣ୍ଠ ସୁରାତକଲ ଠାରେ ଥିବା ଏକ ଟେକ୍ସଟାଇଲ ଦୋକାନ ବାହାରେ ମହମ୍ମଦ ଫୈଜଲ ନାମକ ଯୁବକଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଫଳରେ ପୁରା ସୁରାତକଲ ଇଲାକାରେ ଉତ୍ତେଜନା ଦେଖିବାକୁ ମିଳିଛି । ଏଠାରେ ୧୪୪ ଧାରା ଲାଗୁ ହୋଇଛି ।

କହିରଖୁଁ , ଏହି ଘଟଣା ପୂର୍ବରୁ ବିଜେପିର ଯୁବ ମୋର୍ଚ୍ଚା ନେତା ପ୍ରବୀଣ କୁମାରଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା । ମୃତ ପ୍ରବୀଣଙ୍କ ଘରକୁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମଇ ଯାଇଥିବାବେଳେ ମେଙ୍ଗାଲୁରୁଠାରେ ଫୈଜଲଙ୍କୁ ହତ୍ୟା କରାଯାଇଛି ।

ମୃତ ଫୈଜଲଙ୍କ ଘର ସୁରାତକଲ ନକଟସ୍ଥ ମାଙ୍ଗଲପେଟ ଇଲାକାରେ । ସେ ଦୋକାନ ବାହାରେ କଥା ହେଉଥିବାବେଳେ ସେଠାରେ ବାଇକରେ କିଛି ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଆକ୍ରମଣର ସିସିଟିଭି ଭିଜୁଆଲ ମଧ୍ୟ ପୋଲିସ ହାତରେ ଲାଗିଛି । ଏନେଇ ସୁରାତକଲ ପୋଲିସରେ ମାମଲା ଦାଏର ହୋଇଛି ।

ଏହି ଘଟଣାକୁ ଆଧାର କରି ଆଉ ଯେପରି କିଛି ଅପରରାଧ ନଘଟୁ ସେଥିପାଇଁ ପୁରା ଇଲାକାରେ ୧୪୪ ଧାରା ଲାଗୁ କରାଯାଇଛି । ଜୁଲାଇ ୩୦ ତାରି ଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ ବୋଲି ଘୋଷଣା ହୋଇଛି ।