ଭାରତରୁ ଶ୍ରୀଲଙ୍କା, ଶ୍ରୀଲଙ୍କାରୁ ଭାରତ । ସମୁଦ୍ରରେ ୫୭ କିଲୋମିଟର ପହଁରି ନୂଆ ରେକର୍ଡ କଲେ ୧୪ ବର୍ଷୀୟ ସ୍ନେହନ ।

544

କନକ ବ୍ୟୁରୋ : ଭାରତରୁ ଶ୍ରୀଲଙ୍କା, ପୁଣି ଶ୍ରୀଲଙ୍କାରୁ ଭାରତ । ପହଁରି ପହଁରି ଯାତ୍ରା ପୂରା କଲେ ଭାରତର ଜଣେ ୧୪ ବର୍ଷୀୟ ଯୁବକ ଏନ.ଏ ସ୍ନେହନ । ଆଉ ଏହି ଯାତ୍ରା ପୂରା କରିବାକୁ ସ୍ନେହନଙ୍କୁ ଲାଗିଥିଲା ୧୯ ଘଣ୍ଟା ୪୫ ମିନିଟ । ଏହି ସମୟ ମଧ୍ୟରେ ସମୁଦ୍ରପଥରେ ୫୭ କିଲୋମିଟର ଅତିକ୍ରମ କରି ନୂଆ ରେକର୍ଡ କରିଛନ୍ତି ୮ମ ଶ୍ରେଣୀରେ ପଢୁଥିବା ସ୍ନେହନ । ପୂର୍ବରୁ ଏହି ଜଳପଥକୁ ଗୋଟିଏ ପଟୁ ଅତିକ୍ରମ କରିବାକୁ ୮ ଘଣ୍ଟା ୨୫ ମିନିଟ୍ ସମୟର ରେକର୍ଡ ରହିଥିଲା । କିନ୍ତୁ ଏହାକୁ ଭାଙ୍ଗିଛନ୍ତି ସ୍ନେହନ । ଭାରତର ଧନୁଷକୋଡିରୁ ଶ୍ରୀଲଙ୍କାର ତଲାଇମତ୍ରାର ପର୍ଯ୍ୟନ୍ତ ଉଭୟ ପଟୁ ଅତିକ୍ରମ କରିବାକୁ ୧୯ ଘଣ୍ଟା ୪୫ ମିନିଟ୍ ସମୟ  ନେଇଥିଲେ ସ୍ନେହନ । ପୂର୍ବରୁ ଏହି ରେକର୍ଡ ୨୮ ଘଣ୍ଟା ୩୬ ମିନିଟ୍ ରହିଥିଲା । ତେବେ ସ୍ନେହନ ଏହି ଦୂରତା ଅତିକ୍ରମ କରିବା ସହ ବୁକ୍ ଅଫ୍ ୟୁଆରଏଫ ୱାର୍ଲ୍ଡ ରେକର୍ଡସରେ ନିଜ ନାଁ ସାମିଲ କରିଛନ୍ତି ।

ଏହି ଦୂରତା ଅତିକ୍ରମ କରି ରେକର୍ଡ କରିବା ପରେ ଧନୁଷକୋଡିରେ ସେହ୍ନନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଅଧିକାରୀଙ୍କୁ ସ୍ନେହନଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଛନ୍ତି । ସ୍ନେହନ ସୋମବାର ସକାଳୁ ଧନୁଷକୋଡିରୁ ଯାତ୍ରା ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ୫ଟାରେ ଆଇଏମବିଏଲ ଠାରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ସ୍ୱାଗତ କରାଯାଇଥିଲା ।

ଅନେକ ଘାତ ଓ ପ୍ରତିଘାତ ଭିତରେ ସମୁଦ୍ର ମଧ୍ୟରେ ପହଁରି ତଲାଇମତ୍ରାର ଠାରେ ରାତି ୯ଟା ୫୫ ମିନିଟରେ ପହଞ୍ଚିଥିଲେ ସ୍ନେହନ । ତେବେ ଏଠାରୁ ଫେରିବା ବେଳେ ସମୁଦ୍ରରେ ଉଚ୍ଚ ଲହରୀର ସାମ୍ନା କରି ଧନୁଷକୋଡିରେ ପହଞ୍ଚିଥିଲେ । ଉଚ୍ଚ ଲହରି ନଥିଲେ ସ୍ନେହନ ଆହୁରି କମ ସମୟ ମଧ୍ୟରେ ଧନୁଷକୋଡିରେ ପହଞ୍ଚିଥାନ୍ତେ । ତେବେ ସ୍ନେହନଙ୍କ ଏଭଳି ପ୍ରୟାସକୁ ତାମିଲନାଡୁ ଡିଜିପି ସି ସିଲେନ୍ଦ୍ର ବାବୁ ପ୍ରଂଶସା କରିଛନ୍ତି ।