ପାଣି ପାଇଁ ତାତି । ଅଚଳ ପଡିଛି ପାଣି ଟାଙ୍କି ।ଏଥର ପ୍ରତିଶ୍ରୁତି ନୁହେଁ ପ୍ରାର୍ଥୀ ଦେଖି ଭୋଟ ଦେବୁ ।

23

କନକବ୍ୟୁରୋ: ପାଣି ପାଇଁ ତାତି । ଗାଁର ଲୋକ ଏବେ ଏକାଠି ହୋଇ ଚେତାବନୀ ଦେଇଛନ୍ତି । ଏଥର ପ୍ରତିଶ୍ରୁତି ନୁହେଁ ପ୍ରାର୍ଥୀ ଦେଖି ଭୋଟ ଦେବୁ । କେନ୍ଦୁଝର ଘଟଗାଁ ବସନ୍ତପୁର ପଂଚାୟତ ବାସୀଙ୍କ ସମସ୍ୟା ଥମୁନି । ଅନ୍ୟ ସମସ୍ୟାଠୁ ବଳିପଡୁଛି ପିଇବା ପାଣି ସମସ୍ୟା । ଖରା ଦିନରେ ଡହଡହ ଖରାରେ ଲୋକେ ମାଇଲ ମାଇଲ ବାଟ ଯାଉଛନ୍ତି ପାଣି ସଂଗ୍ରହ କରିବାକୁ । ଆଉ କିଛି ସ୍ଥାନରେ ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ନଳକୂଅରୁ ବାହାରୁଥିବା ଦୂଷିତ ପାଣିକୁ ଛାଣି ବ୍ୟବହାର କରୁଛନ୍ତି । ପ୍ରତିଥର ନିର୍ବାଚନ ସମୟରେ ଭୋଟ୍ ପାଇଁ ଚାଲିଆସନ୍ତି ନେତା ମନ୍ତ୍ରୀ । ପ୍ରତିଶ୍ରୁତି ଦେଇ ଭୋଟ୍ ନେବା ପରେ ପୁଣି ଭୁଲିଯାନ୍ତି । ହେଲେ ଏବେ କିନ୍ତୁ ଲୋକେ ଭୋଟ୍ ଦେବେନି । ଲୋକେ ପ୍ରାର୍ଥୀ ଦେଖି ନିଜ ମତଦାନ କରବିାକୁ କହିଛନ୍ତି ।

ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଛି । ପାଣି ଟାଙ୍କି ତିଆରି ହୋଇ ପଡି ରହିଛି । ହେଲେ କାମରେ ଲାଗୁନି । ଗାଁର ପ୍ରତି ଘରେ ଘରେ କାନ୍ଥରେ ଲାଗିଛି ବସୁଧା ଯୋଜନା ପୋଷ୍ଟର । ଜଳ ଯୋଗାଇବାପାଇଁ ଓଭରହେଡ ଟାଙ୍କି ନିର୍ମାଣ କରାଯାଇ ଅଧାପନ୍ତରିଆ ହୋଇପଡିରହିଛି । କିଛି ସ୍ଥାନରେ ପାଣି ଟ୍ୟାପ୍ ଲଗାଇ ଠିକାଦାର କାମ ବନ୍ଦ କରିଦେଇଛନ୍ତି । ପ୍ରତିଥର ଲୋକେ ଅଭିଯୋଗ କରିଛନ୍ତି ପାଣି ପାଇଁ । ହେଲେ ଭୋଟ୍ ନେଇ କାମ ଭୁଲିଯାଉଛନ୍ତି ସମସ୍ତେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି । ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗିଥିବା ବେଳେ ପାଣି ମୁନ୍ଦାଏ ପାଇଁ ଘଂଟା ଘଂଟା ଅପେକ୍ଷା କରୁଛନ୍ତି ଲୋକମାନେ । ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଖୁବଶୀଘ୍ର ସମାଧାନ କରାଯିବା ଜରୁରୀ ହୋଇଛି ।