ପୂର୍ବତନ ଯୋଗାଣ ଅଧିକାରୀଙ୍କ ସମ୍ପତି ଦେଖି ତାଜୁବ ହେଲା ଭିଜିଲାନ୍ସ । ବାସ୍ତୁ ପାଇଁ ରୂପାହାତୀ ରଖିଛନ୍ତି ବ୍ରଜେନ୍ଦ୍ର ନାୟକ । ଭୁବନେଶ୍ୱରରେ ୭ଟି ଘର, ଗ୍ୟାରେଜ ଛକରେ ୨ କୋଟିର ବିରାଟ କୋଠା

459

କନକ ବ୍ୟୁରୋ: ଚାକିରୀ ସରକାରୀ, ଭରପୁର ଉପୁରୀ । କୋଟିପତି କୁବେର ଅଫିସରଙ୍କ ଉଭା ଯେତିକି ପୋତା ସେତିକି । କୋଠା, ଜମି କାଗଜପତ୍ର ଆଉ ଘରର ଇଂଟେରିୟର ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି । ବାବୁଙ୍କ ସଂପତିର ଖୋଳତାଡ ପାଇଁ ଲାଗିଛନ୍ତି ଦୁଇ ଡିଏସପି ଓ ୬ ଇନ୍ସପେକ୍ଟର ଓ ଭିଜିଲାନ୍ସ ଅଫିସର ।

  • କୁବେର ବ୍ରଜେନ୍ଦ୍ରଙ୍କ ଅମାପ ସଂପତ୍ତି!
  • ଦୁର୍ନୀତିରେ ଉବୁଟୁବୁ ପୂର୍ବତନ ଯୋଗାଣ ଅଧିକାରୀ

ଟାଇଲରୁ ଆରମ୍ଭ କରି ସିଲିଂ ପର୍ଯ୍ୟନ୍ତ ସବୁ କିଛି ନାମୀଦାମୀ ବ୍ରାଣ୍ଡର । ସୌଖୀନ ଆସବାବପତ୍ର, ଦାମୀ ସାଜସଜ୍ଜା ଉପକରଣ । ଏପରିକି ବାସ୍ତୁଠିକ କରିବା ପାଇଁ ରୂପାର ହାତୀ ରଖି ଚର୍ଚ୍ଚାରେ ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ଭିଜିଲାନ୍ସ ପକ୍ଷରୁ ନାମୀ ଦାମୀ ଜିନିଷର ହିସାବ ପାଇଁ ଆର୍କିଟେକଚର ଟିମର ସହାୟତା ନିଆଯାଇଛି । କେବଳ ଘରର ଇଂଟେରିୟର ଆକଳନ ପାଇଁ ଏହି ଟିମକୁ ଲଗାଯାଇଥିବା ବେଳେ ସେମାନଙ୍କୁ ମାପଚୁପ ପାଇଁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଛି ।

କମ ଦିନରେ କେମିତି କୋଟିପତି ହୋଇଗଲେ ଏହି ସରକାରୀ ବାବୁ ? ନୟାଗଡ ଜିଲ୍ଲା ଯୋଗାଣ ବିଭାଗରେ ଥିବା ବେଳେ ବାବୁ ଜଣକ ନାଁରେ ଆସିଥିଲା ଦୁର୍ନୀତି ଅଭିଯୋଗ । ଏହି କେଳେଙ୍କାରୀ ପାଇଁ ବାବୁଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରି ନିଲମ୍ବନ କରାଯାଇଛି । ଏହି ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ମାଳ ମାଳ ପିଟିସନ ପଡିବା ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଛି । ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ଠିକଣାରେ ଚଢାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ରେଡ ବେଳେ ବ୍ରଜେନ୍ଦ୍ରଙ୍କ ପାଖରୁ କଣ ସବୁ ପାଇଛି ଭିଜିଲାନ୍ସ ଟିକେ ନଜର ପକାନ୍ତୁ

  • ରାଜଧାନୀର ବିଭିନ୍ନ ସ୍ଥାନରେ ତାଙ୍କର ୭ଟି ଅଟ୍ଟାଳିକା ରହିଛି
  • ଭୁବନେଶ୍ୱର ଗ୍ୟାରେଜ ଛକ ରାଧାକୃଷ୍ଣ ନଗରରେ ଏକ ବିରାଟ ଅଟାଳିକା,ଯାହାର ମୂଲ୍ୟ ୨କୋଟିରୁ ଅଧିକ
  • ଭୀମଟାଙ୍ଗିରେ ଦୁଇ ମହଲା ଘର, ରାଜାରାଣୀ କଲୋନୀରେ ୨ଟି ତିନି ମହଲା ଅଟ୍ଟାଳିକା
  • ନିମାପଡା ସୁନାଗରଡାରେ ପୈତୃକ ଘର, ଫାର୍ମ ହାଉସ ଏବଂ ୧୦ଟି ଦୋକାନ ଘର
  • ପୁରୀ ବ୍ୟାଙ୍କରେ ୬୦ ଲକ୍ଷ ଟଙ୍କାର ଜମା ରାଶି
  • ୨୦ରୁ ଅଧିକ ଏଲଆଇସି ବଣ୍ଡ, ୧୫ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଥିବା ବେଳେ ତଦନ୍ତ ଜାରି ରହିଛି