ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

219

କନକ ବ୍ୟୁରୋ: ଉତରକାଶୀରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଦୈନନ୍ଦିନ ପୂଜାର୍ଚ୍ଚନା ସୁଚାରୁରୂପେ କରିବା ପାଇଁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତରାଖଣ୍ଡର, ଉତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହଡ ଉପରେ ରହିଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ଏହି ମନ୍ଦିରକୁ ଲୋଚଲଚନକୁ ଆଣିଥିବାରୁ ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟଜୋଶୀ ଏବଂ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ସାଧୁବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ଏହି ଜଗନ୍ନାଥ ମନ୍ଦିରର ୬ମାସ ପର୍ଯ୍ୟନ୍ତ ନୀତିକାନ୍ତି ଖର୍ଚ୍ଚ ବହନ କରିବା କଥା କହିଥିଲେ ଅଭିନେତା ସବ୍ୟସାଚୀ । ଉତରକାଶୀ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ ୧୨ଶହ ଖ୍ରୀଷ୍ଟାବ୍ଦ । ତେବେ ସୂଚନା ଅନୁସାରେ ଗତ ବର୍ଷ ପୁରୀ ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟଜୋଶୀ ମହାପାତ୍ର ତାଙ୍କ ଝିଅଙ୍କୁ ଡେରାଡୁନ ଛାଡିବାକୁ ଯାଇଥିବାବେଳେ ଏ ମନ୍ଦିର ବାବଦରେ ଜାଣିବାକୁ ପାଇଥିଲେ । ମାତ୍ର ସପ୍ତାହରେ ତିନି ଦିନ ପୂଜା ପାଉଥିବାବେଳେ ଦିଅଁ ୪ ଦିନ ଅପୁଜା ରହିବା ଘଟଣା ତାଙ୍କୁ ବ୍ୟଥିତ କରିଥିଲା । ଏନେଇ ସେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଜଣାଇବା ପରେ, ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ଚଳିତ ରଥଯାତ୍ରା ସମୟରେ ଉତରକାଶୀର ଏହି ଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ କେମିତି ଏହାର ପ୍ରଚାର-ପ୍ରସାର ହେବ ଆଉ ମହାପ୍ରଭୁଙ୍କର କିପରି ନୀତିକାନ୍ତି ସୁରୁଖୁରରେ ହୋଇପାରିବ ସେନେଇ ଚେଷ୍ଟା ଆରମ୍ଭ କରିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ଦିରର ରକ୍ଷଣାବେକ୍ଷଣ ନେଇ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।