ବେୟାରଷ୍ଟୋଙ୍କ ବିବାଦୀୟ ଆଉଟକୁ ନେଇ ଦୁଇ ଦେଶ ମୁହାଁମୁହିଁ: ମୁହଁ ଖୋଲିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

3,463

କନକ ବ୍ୟୁରୋ: ଷ୍ଟମ୍ପ-ଆଉଟ୍କୁ ନେଇ ମୁହାଁମୁହିଁ ହେଲେ ୨ ଦେଶ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ । ଆସେସ୍ ସିରିଜ୍ର ଲଡ୍ସ ଟେଷ୍ଟରେ ଜନି ବେୟାରଷ୍ଟୋଙ୍କ ଷ୍ଟମ୍ପ ଆଉଟ୍ ପରଠାରୁ ହିଁ ୨ ଦେଶ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ମାହୋଲ ଗରମ ରହିଛି । ଏମିତିକି ଏହି ବିବାଦ ମଧ୍ୟରେ ସାମ୍ନାକୁ ଆସିଛନ୍ତି ୨ ଦେଶର ପ୍ରଧାନମନ୍ତ୍ରୀ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ କହିଛନ୍ତି ଖେଳୁଆଡ ମନୋଭାବ ନେଇ ଖେଳୁନଥିଲା ଅଷ୍ଟ୍ରେଲିଆ । ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କିନ୍ତୁ ନିଜ ଦେଶର ବିଜୟକୁ ନେଇ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲଡ୍ସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଙ୍ଗସରେ ବ୍ୟାଟିଙ୍ଗ କରୁଥିଲେ ଜନି ବେୟାରଷ୍ଟୋ । ଆଉ ଗ୍ରୀନଙ୍କ ସର୍ଟପିଚ୍ ବଲକୁ ଛାଡିଦେଇଥିଲେ ବ୍ୟାଟସମ୍ୟାନ୍ । କିନ୍ତୁ ସାଙ୍ଗେସାଙ୍ଗେ କ୍ରିଜ୍ରୁ ସାମାନ୍ୟ ବାହାରିଯାଇଥିଲେ ବେୟାରଷ୍ଟୋ । ଆଉ ଉଇକେଟ୍ କିପର ଏହାର ଫାୟିଦା ନେଇ ଷ୍ଟମ୍ପଆଉଟ୍ କରିଥିଲେ । ଯାହାଫଳରେ ନିଜର ଉଇକେଟ୍ ହରାଇଥିଲେ ବେୟାରଷ୍ଟୋ । ଆଉ ଅଷ୍ଟ୍ରେଲିଆ ୨ୟ ଟେଷ୍ଟକୁ ୪୩ ରନ୍ ରେ ଜିତିଯାଇଥିଲା । ତେବେ ଏହି ବିଜୟ ପରେ କିନ୍ତୁ ଅଷ୍ଟ୍ରେଲିଆକୁ ବ୍ରିଟେନ୍ ଗଣମାଧ୍ୟମ ଟାର୍ଗେଟ୍ କରିବାକୁ ପଛେଇନଥିଲା । ଏମିତିକି ଅଷ୍ଟ୍ରେଲିଆ କ୍ୟାପଟେନ୍ ପ୍ୟାଟ୍ କୁମିନ୍ସଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରାଯାଇଛି । ଅନ୍ୟପଟେ ଅଷ୍ଟ୍ରେଲିଆ ପୋଲିସ୍ ମଧ୍ୟ ଏହି ଷ୍ଟମ୍ପ ଆଉଟ୍ କୁ ନେଇ ଟ୍ରାଫିକ୍ ନିୟମ ବିଷୟରେ ସଚେତନତା ବାର୍ତା ଦେଇଛି ।