ଚୀନରେ କରୋନା ସୁନାମୀ । ଦିନକୁ ଦିନ ଜଟିଳ ହେଉଛି ସ୍ଥିତି, ମିଳୁନି ଆବଶ୍ୟକୀୟ ମେଡିକାଲ ସୁବିଧା, ୨୦ ଦିନରେ ୨୫ କୋଟି ସଂକ୍ରମିତ

72

କନକ ବ୍ୟୁରୋ: ଚୀନରେ କରୋନା ସ୍ଥିତି ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ରୋଗୀଙ୍କ ପାଇଁ ବେଡ୍ ମିଳୁନି । ଚିକିତ୍ସା ପାଇଁ ଔଷଧ ମିଳୁନି । ହସ୍ପିଟାଲ ଗୁଡିକରେ ବେଡ୍ ମିଳୁନି । ରାସ୍ତା କଡରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଆଉ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କୁ ସମାଧି ଦେବା ପାଇଁ ବି ଦିନ ଦିନ ଧରି ଲାଇନ୍ ଲଗାଇବାକୁ ପଡୁଛି । ତେବେ ଚୀନର ସ୍ଥିତି ଆଗକୁ ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଚୀନରେ କରୋନା ସ୍ଥିିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପ୍ରମୁଖ ସହର ଗୁଡିକରେ ଦୈନିକ ସଂକ୍ରମଣ ୫ ଲକ୍ଷରୁ ଅଧିକ ରହିଥିବା ବେଳେ ଲୋକେ ଆବଶ୍ୟକୀୟ ମେଡିକାଲ ସୁବିଧା ପାଇପାରୁନାହାଁନ୍ତି । ଡିସେମ୍ବର ମାସର ୧ ତାରିଖରୁ ୨୦ ତାରିଖ ଅର୍ଥାତ ୨୦ ଦିନ ମଧ୍ୟରେ ଚୀନରେ ୨୫ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଚଳିତ ସପ୍ତା୯ହରେ ଚୀନରେ ୩ କୋଟି ୭୦ ଲକ୍ଷ ଲୋକେ କରୋନାରେ ସଂକ୍ରମିତ ହୋଇଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଓମିକ୍ରମର ବିଏଫ-୭ ଭାରିଏଂଟ ଏବେ ଚୀନ ପାଇଁ ଘାତକ ସାବ୍ୟସ୍ଥ୍ୟ ହୋଇଛି । ଏହି ଭାରିଏଂଟର ସଂକ୍ରମଣ କ୍ଷମତା ୧୦ ରୁ ୧୮.୬ ରହିଛି । ଅର୍ଥାତ ଜଣେ ସଂକ୍ରମିତ ବ୍ୟକ୍ତି ୧୦ରୁ ୧୮ ଜଣଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି ।