ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ! ସରକାରୀ ବାବୁଙ୍କ ପୁଅ ବୋଲି ସାତ୍ ଖୁନ୍ ମାଫ୍ । ପୋଲିସ ଉପରେ ପ୍ରବଳ ଚାପ ପଡିଲା, ବିଲେଇ ହତ୍ୟାକାରୀକୁ ଖସାଇ ଦିଆଗଲା

898

କନକ ବ୍ୟୁରୋ: ରାତିରେ ବାନ୍ଧିଲା, ସକାଳେ ଛାଡିଲା । ସଲାସୁତୁରା କରି ବିଲେଇ ହତ୍ୟାକାରୀକୁ ସକାଳେ ସକାଳେ ଛାଡି ଦେଲା ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଷ୍ଠୁରତାର ସବୁ ସୀମା ଟପି ନିରିହ ଜନ୍ତୁକୁ କାଲି ଯେଉଁ ହତ୍ୟାକାରୀ ଅତି ଅମାନୁଷିକ ଭାବେ ଗୁଳି କରି ହତ୍ୟା କରିଥିଲା ଆଜି ତାକୁ ଛାଡି ଦେଇଛି ପୋଲିସ । ଖାରବେଳ ନଗର ଥାନାରେ ସାରା ରାତି ଅଟକ ଥିବା ଆଶୁତୋଷ ନାୟକଙ୍କୁ ଛାଡି ଦେଇଛି ପୋଲିସ । ଘଟଣା ନେଇ ଅଭିଯୁକ୍ତକୁ ପଚରା ଉଚରା ପରେ ଆଜି ନୋଟିସ ଦେଇ ଖସାଇ ଦେଇଛି ପୋଲିସ ।

ତେବେ ରାଜଧାନୀରେ ବିଲେଇ ମାରି ପଶୁଙ୍କ ପ୍ରତି ବର୍ବରତା ରଚିଥିବା ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ନାୟକ ଖସିଯିବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କାହା ଚାପରେ ପୋଲିସ ହତ୍ୟାକାରୀକୁ ଛାଡି ଦେଲା ବୋଲି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ । ଅଭିଯୁକ୍ତ ଯୁବକଙ୍କ ବାପା ଗୃହ ବିଭାଗରେ କାମ କରୁଥିବାରୁ ତାଙ୍କୁ ଛାଡି ଦିଆଯାଇଛି । ପୁୁଅକୁ ଖସାଇବା ପାଇଁ ଗୃହ ବିଭାଗରେ ଚାକିରି କରୁଥିବା ବାପା ବିଭିନ୍ନ ସୁତ୍ରରୁ ପ୍ରବଳ ଚାପ ପ୍ରୟୋଗ କରିଛନ୍ତି । ଖାଲି ସେତିକି ନୁହେଁ ଜଣେ ବରିଷ୍ଠ ନେତା ତଥା ସାଂସଦ ବି ଏନେଇ କମିଶନରେଟ ପୋଲିସ ଉପରେ ଚାପ ପ୍ରୟୋଗ କରିଥିବା ଜଣାପଡିଛି ।

ସେପଟେ ଅଭିଯୁକ୍ତଙ୍କ ବାପା ଖୁଲମଖୁଲା କହିଛନ୍ତି କି ତାଙ୍କ ପୁଅ ବିଲେଇ ମାରେନି ବରଂ କୁକୁର ଓ ଉଡିଯାଉଥିବା ଚଢେଇକୁ ଗୁଳି କରି ମାରେ । ନିଜ ଛାତ ଉପରେ ଉଡୁଥିବା ଅନେକ ଚଢେଇକୁ ସେ ପୂର୍ବରୁ ମାରିଛନ୍ତି । ତେବେ ରାଜଧାନୀ ଛାତି ଉପରେ ନିଜ ସଉକ ପାଇଁ ଏ ସରକାରୀ ବାବୁଙ୍କ ପୁଅ ଗୋଟେ ପରେ ଗୋଟେ ନିରୀହ ଜୀବଜନ୍ତୁଙ୍କୁ ଗୁଳି ମାରି ହତ୍ୟା କରୁଥିଲେ ହେଁ ତାଙ୍କୁ ରାତିରେ ଗିରଫ କରି ସକାଳେ ଛାଡି ଦେଇଛି ପୋଲିସ ।

ତେବେ ପୂର୍ବରୁ ଏଇ ଭୁବନେଶ୍ୱରରେ ଜଣେ କାର ଡ୍ରାଇଭର ୪ଟି କୁକୁର ଛୁଆଙ୍କୁ ଗାଡି ଚଢାଇ ମାରିଦେବା ପରେ ତାଙ୍କୁ ସଙ୍ଗେସଙ୍ଗେ ଗିରଫ କରିଥିଲା ପୋଲିସ । କ୍ରୁଏଲ ଟୁ ଆନିମଲ ଆକ୍ଟ ବଳରେ ଉକ୍ତ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା । ହେଲେ ଆଉ ଜଣେ ସେମିତି ଜନ୍ତୁହନ୍ତା ଜଙ୍ଘନ୍ୟକାଣ୍ଡ ଘଟାଇଥିଲେ ବି ପୋଲିସ ହାତ ବାନ୍ଧି ବସିଛି । ହତ୍ୟାକାରୀକୁ ଛାଡି ଦେବାକୁ ଉପରୁ ଚାପ ପଡୁଛି ।

ହତ୍ୟାକାରୀକୁ ଛାଡିଦେବା ପରେ ପ୍ରଶ୍ନ ଉଠୁଛି କି ଆଇନ କାନୁନ କଣ କେବଳ ଗରିବ ଲୋକଙ୍କ ପାଇଁ ? ଯଦି କାର ଡ୍ରାଇଭରଙ୍କୁ ଜନ୍ତୁହତ୍ୟା ଅଭିଯୋଗରେ ଗିରଫ କରାଯାଉଛି ତେବେ କଣ ପାଇଁ ଗୁଳିମାରି ହତ୍ୟା କରିଥିବା ଏ ଜନ୍ତୁହନ୍ତାଙ୍କୁ ଛଡାଯିବ? ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର? କାର ଡ୍ରାଇଭରଙ୍କ କେହି ଚିହ୍ନା ନଥିଲେ ବୋଲି ସେ ଦଣ୍ଡ ଭୋଗିବେ, ତାଙ୍କ ପାଇଁ ଆଇନ କାନୁନ କଡାକଡି ଆଉ ବିଲେଇହନ୍ତାର ବାପା ଗୃହ ବିଭାଗରେ ଚାକିରି କରିଛନ୍ତି ବୋଲି ତାଙ୍କୁ ସାତ ଖୁଣ ମାଫ, ଏ କି ନ୍ୟାୟ ? ଏ କି ବ୍ୟବସ୍ଥା ?

ଗୋଟିଏ ପଟେ ରାଜ୍ୟ ସରକାର ମୋ ସରକାର ମାଧ୍ୟମରେ ଆଇନ କାନୁନରେ ସ୍ୱଚ୍ଛତା ଆଣିବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ୟପଟେ ସେହି ଗୃହ ବିଭାଗର ଜଣେ ବାବୁଙ୍କ ପୁଅ ବିଲେଇକୁ ହତ୍ୟା କରିବା ପରେ ତା ଦୋଷକୁ ଘଣ୍ଟ ଘୋଡାଇବାକୁ ଉପରୁ ଚାପ ପଡୁଛି… ଏଇଟା କଣ ସରକାରଙ୍କ ସ୍ୱଚ୍ଛ ଶାସନ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।