ଲଣ୍ଡନ ବିଜନେସ୍ ସ୍କୁଲରୁ ଟାଟା ସନ୍ସର ସବୁଠୁ ଯୁବ ଚେୟାରମ୍ୟାନ୍ । ରତନ ଟାଟାଙ୍କ ପରେ ସମ୍ଭାଳିଥିଲେ ଟାଟା ସନ୍ସ । ପଢନ୍ତୁ, ସାଇରସ୍ ମିସ୍ତ୍ରୀଙ୍କ କିଛି ଖାସ୍ କଥା ।

257

କନକ ବ୍ୟୁରୋ: ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ତଥା ଉଦ୍ୟୋଗପତି ସାଇରସ ମିସ୍ତ୍ରୀଙ୍କ ଅକାଳ ବିୟୋଗ ଘଟିଛି । ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହେଇଥିଲା । ତେବେ ଗତ ଗୋଟିଏ ବର୍ଷ ଭିତରେ ମିସ୍ତ୍ରୀ ପରିବାରକୁ ଲାଗିଛି ଦୁଇଟି ବଡ ଝଟକା । ଗତ ବର୍ଷ ଜୁନ୍ ମାସରେ ସାଇରସ୍ ମିସ୍ତ୍ରୀଙ୍କ ପିତାଙ୍କ ଦେହାନ୍ତ ଘଟିଥିବାବେଳେ, ଆଜି ସାଇରସ୍ ମିସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଛି ।

୨୦୦୬ ମସିହାରେ ପାଲୋନଜୀ ମିସ୍ତ୍ରୀଙ୍କ ସାନ ପୁଅ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସ ସହ ଯୋଡି ହେଇଥିଲେ । ଏହାପରେ ୨୦୧୨ ମସିହା ଡିସେମ୍ବର ମାସରେ ତାଙ୍କୁ ଟାଟା ସନ୍ସର ଚେୟାରମ୍ୟାନ୍ ଦାୟିତ୍ୱ ଦିଆଯାଇଥିଲା । ତେବେ ଦୀର୍ଘ ଦେଢ ବର୍ଷର ଅନ୍ୱେଷଣ ପରେ ସାଇରସ୍ ମିସ୍ତ୍ରୀଙ୍କୁ ଏହି ଦାୟିତ୍ୱ ଦେଇଥିଲା ଟାଟା ସନ୍ସ । ୨୦୧୬ ମସିହାରେ କିନ୍ତୁ ଅଚାନକ ସାଇରସ୍ ମିସ୍ତ୍ରୀଙ୍କୁ ତାଙ୍କ ପଦରୁ ହଟେଇ ଦିଆଯାଇଥିଲା । ଯାହାକୁ ନେଇ ଅନେକ ବିବାଦ ଦେଖାଯିବା ସହିତ ସେ ଅନେକ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ ।

ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଚେୟାରମ୍ୟାନ୍ ଥିଲେ । ୨୦୧୨ ମସିହାରେ ରତନ ଟାଟା ଏହି ପଦରୁ ରିର୍ଟାୟରମେଣ୍ଟ ନେବା ପରେ ଏହି ଦାୟିତ୍ୱ ନେଇଥିଲେ ସାଇରସ୍ ମିସ୍ତ୍ରୀ । ସେ ଟାଟା ସନ୍ସର ସବୁଠୁ ଯୁବ ଚେୟାରମ୍ୟାନ୍ ଥିଲେ । ତା ସହିତ ମିସ୍ତ୍ରୀ ପରିବାରର ମଧ୍ୟ ଟାଟା ସନ୍ସର ଦ୍ୱିତୀୟ ସର୍ବାଧିକ ସେୟାର ଥିଲା । ଏହି ପରିବାର ପାଖରେ ଟାଟା ସନ୍ସର ପ୍ରାୟ ୧୮.୪ ପ୍ରତିଶତ ସେୟାର ରହିଛି ।

ସାଇରସ୍ ମିସ୍ତ୍ରୀ ଲଣ୍ଡନ ବିଜନେସ୍ ସ୍କୁଲରୁ ନିଜ ପାଠପଢା ଶେଷ କରିଥିଲେ । ଏହାପରେ ସେ ତାଙ୍କ ପରିବାରର ପାଲନଜୀ ଗ୍ରୁପ ସହିତ ୧୯୯୧ ମସିହାରୁ କାମ ଆରମ୍ଭ କରିଥିଲେ । ୧୯୯୪ ମସିହାରେ ତାଙ୍କୁ ଏହାର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ତେବେ ପାଲୋନଜୀ ଗ୍ରୁପ କାରବାର ଜଗତରେ ଏକ ବଡ ନାଁ । କପଡାଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ୍, ହସ୍ପିଟାଲିଟି, ବିଜନେସ୍ ଅଟୋମେସନ୍ ଜଗତରେ ଏହାର ବ୍ୟବସାୟ ରହିଛି । ସାଇରସ୍ ମିସ୍ତ୍ରୀଙ୍କ ନେତୃତ୍ୱରେ ଏହି କମ୍ପାନୀ ଭାରତରେ ଅନେକ ରେକର୍ଡ ମଧ୍ୟ କରିଥିଲା ।