ପ୍ରଧାନମନ୍ତ୍ରୀ ପୂରା ଦେଶର, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ । ଆଲୋଚନା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ କିଛି ଏମିତି କହିଲେ ସୋନିଆ ଗାନ୍ଧୀ ।

2,210

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ଗୋଟିଏ ପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଚନ୍ନି ସରକାରଙ୍କୁ ବିଜେପି ଟାର୍ଗେଟ କରୁଛି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଆଉ ଏସବୁ ଭିତରେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ  ଚରଣଜିତ୍ ସିଂ ଚନ୍ନିଙ୍କ ସହ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଥିବା ମାମଲାରେ କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହାସହ ସୋନିଆ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲାର ପୂରା ଧ୍ୟାନ ରଖିବା ଆବଶ୍ୟକ । ଯିଏ ବି ଏହି ଘଟଣାରେ ଦୋଷୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦବୋସ୍ତ କରାଯିବା ଆବଶ୍ୟକ । କାରଣ ପ୍ରଧାନମନ୍ତ୍ରୀ ହେଉଛନ୍ତି ପୂରା ଦେଶର, ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ଉଚିତ । ଚନ୍ନି ମଧ୍ୟ ସୋନିଆ ଗାନ୍ଧୀଙ୍କୁ ପୂରା ଘଟଣାକ୍ରମ ବାବଦରେ ସୂଚନା ଦେବା ସହ ଏହାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା କହିଛନ୍ତି ।

ଏହାସହ ଚନ୍ନି କହିଛନ୍ତି, ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା । ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ସଭାସ୍ଥଳକୁ ଯାଇଥାନ୍ତେ କିନ୍ତୁ ଅଚାନକ ସଡକମାର୍ଗରେ ଯିବାକୁ ସ୍ଥିର ହୋଇଥିଲା । ଆଉ ଏଥିରେ ପୋଲିସର କୌଣସି ଭୁଲ ନାହିଁ ।  ପ୍ରଦର୍ଶନକାରୀ ଯେଉଁ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ ସେହି ସ୍ଥାନରୁ ଗୋଟିଏ କିଲୋମିଟର ପଛକୁ ପ୍ରଧାନମନ୍ତ୍ରୀଙ୍କୁ ରୋକି ଦିଆଯାଇଥିଲା । ତେଣୁ ଏଥିରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କେଉଁଠୁ ଆସିଲା ଓ କଣ ବା ବିପଦ ଥିଲା?

ଏହି ଘଟଣାରେ ପଞ୍ଜାବ ପୋଲିସର ସୁରକ୍ଷାକବଚ ସାଜି ଚନ୍ନି କହିଛନ୍ତି ଯେ, ଦୁଇ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିର ଏହା ବିଫଳତା । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଇବି ମୁଖ୍ୟ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ଥିଲେ । କିନ୍ତୁ ସକାଳେ ଅଚାନକ କିଛି ଲୋକ ଆସି ସଡକ ଉପରେ ବସିଗଲେ । ଯାହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଗଲା । ଏହାଛଡା ଯେଉଁ ସ୍ଥାନକୁ ପ୍ରଧାନମନ୍ତ୍ରୀ ମୋଦୀ ଆସିଥାନ୍ତେ, ତାହା ବିଏସଏଫ ଅଧିକାର କ୍ଷେତ୍ରରେ ଆସୁଥିଲା । ତେଣୁ ଏଥିରେ ପୋଲିସର କୌଣସି ଭୂମିକା ନାହିଁ ।

କଣ ଥିଲା ପୂରା ଘଟଣା?

ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।

ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକୀ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା । ଯାହା କରାଯାଇନଥିଲା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କୁ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।