ଆମାଜନକୁ ଗାଳି କଲେ ଶକ୍ତିକାନ୍ତ ଦାସ : ସପିଂ ସାଇଟ୍ ଆମାଜନକୁ ତାଗିଦ କରିଛନ୍ତି କେନ୍ଦ୍ର ଅର୍ଥ ସଚିବ

21

କନକ ବ୍ୟୁରୋ : ଆମାଜନକୁ ଗାଳି କଲେ ଶକ୍ତିକାନ୍ତ ଦାସ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଫଟୋ ଥିବା ଚପଲ ବିକ୍ରି କରୁଥିବା ଅନଲାଇନ୍ ସପିଂ ସାଇଟ୍ ଆମାଜନକୁ ତାଗିଦ କରିଛନ୍ତି କେନ୍ଦ୍ର ଅର୍ଥ ସଚିବ । ଭାରତୀୟ ସଂକେତକୁ ଅପମାନିତ କରିବାର କୌଣସି ଅଧିକାର ନାହିଁ ବୋଲି କଡା ଭାଷାରେ ଟ୍ୱିଟ କରିଛନ୍ତି ।

ଆମେରିକାରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ଓ ବାର୍ତା ଥିବା ଚପଲ ବିକ୍ରି କରୁଛି ଆମାଜାନ । ଏନେଇ ଟ୍ୱିଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିଛି ଭାରତୀୟ । ଗତ ବୁଧବାର ମଧ୍ୟ ତ୍ରିରଙ୍ଗା ଚିତ୍ରର ପା-ପୋଛ ନେଇ କଡା ପ୍ରତିକ୍ରିୟା ରଖିଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଫଳରେ ଆମାଜନ ପକ୍ଷରୁ କ୍ଷମା ମାଗିବା ସହ ଏହି ପା-ପୋଛକୁ ହଟାଇ ଦିଆଯାଇଥିଲା ।

ପୂର୍ବରୁ ଭାରତୀୟ ଦେବାଦେବୀଙ୍କ ଫଟୋ ଥିବା ପା-ପୋଛ ବିକ୍ରି କରୁଥିଲା ଏହି ସଂସ୍ଥା । ୨୦୧୪ରେ ମଧ୍ୟ ଭାରତୀୟ ଦେବାଦେବୀଙ୍କ ଫଟୋଚିତ୍ର ଥିବା ମହିଳାଙ୍କ ଲେଗିନ୍ସ ବିକ୍ରି କରି ବିବାଦକୁ ଆସିଥିଲା ଅନ ଲାଇନ ସପିଂ ସଂସ୍ଥା ଆମାଜନ୍ ଡଟ୍ କମ୍ ।