‘ମନ୍ କି ବାତ୍’ରେ ଘଣ୍ଟାଏ କହୁଥିବା ପ୍ରଧାନମନ୍ତ୍ରୀ ଜଳୁଥିବା ମଣିପୁରକୁ ନେଇ ମାତ୍ର ୩୬ ସେକେଣ୍ଡ କହିଲେ । ମୋଦୀଙ୍କୁ ଟାର୍ଗେଟ କଲେ ପୂର୍ବତନ ରାଜ୍ୟପାଳ ।

146

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି । ମଣିପୁର ହିଂସା ଓ କୁକି ସମୁଦାୟର ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ ସତ୍ୟପାଲ ମଲ୍ଲିକ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସତ୍ୟପାଲ କହିଛନ୍ତି, ମନ କି ବାତ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ଧରି କହୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଜଳୁଥିବା ମଣିପୁରକୁ ନେଇ ମାତ୍ର ୩୬ ସେକେଣ୍ଡ କହିଲେ । ବେଟି ବଚାଅ, ବେଟି ପଢାଅ ନାରା ଦେଉଥିବା ସରକାରର ଶାସନକାଳରେ ସର୍ବସମ୍ମୁଖରେ ମହିଳାଙ୍କୁ ଉଲଗ୍ନ କରି ବୁଲାଗଲା । ମଣିପୁରରେ ମହିଳାଙ୍କୁ ଉପରେ ହେଉଥିବା ଏଭଳି ଅତ୍ୟାଚାର ନିନ୍ଦନୀୟ ।

ମଣିପୁର ଘଟଣାକୁ ଲଜ୍ଜାଜନକ କହିବା ସହ ସତ୍ୟପାଲ କହିଛନ୍ତି, ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ବେଶ ହୃଦୟ ବିଦାରକ । ୟୁକ୍ରେନ-ଋଷ ଯୁଦ୍ଧକୁ ବନ୍ଦ କରିବାକୁ ଆହ୍ୱାନ ଦେଉଥିବା ବ୍ୟକ୍ତି ନିଜ ଦେଶରେ ଗତ ୬୦ ଦିନ ହେବ ଜଳୁଥିବା ମଣିପୁରକୁ କାହିଁକି ବଞ୍ଚାଇ ପାରୁନାହାନ୍ତି । ଯଦି ଏହି ସରକାର ଆଉ ଥରେ କ୍ଷମତାକୁ ଆସେ ତେବେ ପୂରା ଦେଶରେ ଦଙ୍ଗା କରାଇଦେବେ ।

ଏହାପୂର୍ବରୁ ଗତକାଲି ନରେନ୍ଦ୍ର ମୋଦୀ ମୌସୁମୀ ଅଧିବେଶନର ଆରମ୍ଭ ପୂର୍ବରୁ ମଣିପୁର ଘଟଣାକୁ କଡା ନିନ୍ଦା କରିଥିଲେ । ମୋଦୀ କହିଥିଲେ, ଏହି ଘଟଣା ମୋ ମନକୁ ବହୁତ ଆଘାତ ଦେଇଛି । ଏହି ଘଟଣାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବନି । ଏହି ଘଟଣା ପାଇଁ ୧୪୦ କୋଟି ଦେଶବାସୀ ଲଜ୍ଜିତ । ମହିଳାଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବା ସହ ଆଇନଶୃଙ୍ଖଳାକୁ ଆହୁରି ମଜବୁତ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ ଏହି ଘଟଣାରେ ଯିଏ ଦୋଷୀ ସେମାନଙ୍କୁ ଛଡାଯିବନି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।