ଆଡପ ମଣ୍ଡପରେ ଆଜି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ : ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

110

କନକ ବ୍ୟୁରୋ : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ସନ୍ଧ୍ୟା ଦର୍ଶନ । ଆଡପମଣ୍ଡପରେ ସାଂଧ୍ୟ ଦର୍ଶନ ଦେବେ ଶ୍ରୀଜିଉ । ଆଜି ସକାଳୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ମବେଦୀରେ ମହାପ୍ରଭୁଙ୍କୁ ସାଂଧ୍ୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କିନ୍ତୁ ରାତି ୧୨ଟା ଯାଏଁ ଆଡପ ଅବଢା ମିଳିବ । ଭକ୍ତମାନେ ନାକଚଣା ଦ୍ୱାର ଦେଇ ଆନନ୍ଦବଜାରରୁ ଆଡପ ଅବଢା ଆଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟା ୫ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ କରାଯିବ ।

ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ଓ ଆଳତୀ ହେବ । ତାପରେ ବଡ ସିଂହାର ଭୋଗ ପରେ ପହୁଡ ଆଳତୀ କରାଯିବ । ଆଳତୀ ପରେ ଆରମ୍ଭ ହେବ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି । ଦଇତାପତିମାନେ ସିଂହାସନ ଉପରକୁ ଯାଉ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କାର୍ଯ୍ୟ କରିବେ । କୋଠ ସୁଆସିଆଁ ସେବକ ସିଂହାସନକୁ ଚାରବନ୍ଧା କାର୍ଯ୍ୟ କରିବେ । ତାପରେ କୁସୁମି ଲାଗି ହେବ । ବାହୁଡା ଦିନ ସକାଳୁ ସମସ୍ତ ନୀତି ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ସେନାପଟା ଲାଗି ହେବ ।

ତାପରେ ଦିନ ୧୨ଟାରେ ପହଁଣ୍ଡି କରାଯିବ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ତେବେ ଦିନରେ ମହାପ୍ରଭୁଙ୍କ ସାଂଧ୍ୟ ଦର୍ଶନର ବ୍ୟବସ୍ଥା କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଅନ୍ୟପଟେ ଶୃଂଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ବାହୁଡା ଯାତ୍ରା ପରେ ୨୯ ତାରିଖରେ ଶ୍ରୀଜିଉଙ୍କ ସୁନା ବେଶ, ୩୦ ତାରିଖରେ ଅଧରନୀତି, ଜୁଲାଇ ୧ ତାରିଖରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ ।