ଅଶୋକ ଗେହଲଟଙ୍କ ଉପରେ ପୁଣି ବର୍ଷିଲେ ସଚିନ ପାଇଲଟ, ସୋନିଆ ଗାନ୍ଧୀ ଓ ବସୁନ୍ଧରାରାଜେଙ୍କ ନେଇ ଦେଲେ ଏଭଳି ବୟାନ

265

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ବିରୋଧୀ ନୁହେଁ ବରଂ ଶାସକ କଂଗ୍ରେସ ମଧ୍ୟରେ ଫାଟ ସେତେ ବୃଦ୍ଧି ପାଇବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବୟାନବାଜୀ ଚରମ ସୀମାରେ ପହଂଚିଛି ।

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ଦଳର କିଛି ବିଧାୟକଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ । ସେ କହିଥିଲେ କି ପାଇଲଟ ଗୋଷ୍ଠୀର କିଛି ବିଧାୟକ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଟଙ୍କା ନେଇଛନ୍ତି । ଏହି କ୍ରମରେ ମଙ୍ଗଳବାର ଦିନ ସଚିନ ପାଇଲଟ ଏକ ସାମ୍ବାଦିକ ସମ୍ମିଳନୀ କରି ଅଶୋକ ଗେହଲଟଙ୍କ ଉପରେ ବର୍ଷିଛନ୍ତି ।

ସଚିନ ପାଇଲଟ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତା ସୋନିଆ ଗାନ୍ଧୀ ନୁହଁନ୍ତି ବରଂ ବସୁନ୍ଧରାରାଜେ ସିନ୍ଧିଆ । ସଚିନ ପାଇଲଟ କହିଛନ୍ତି କି କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା କଥା ଗେହଲଟ କହୁଛନ୍ତି ତ ସେପଟେ ସରକାରକୁ ବଞ୍ଚାଇବା ପାଇଁ ବସୁନ୍ଧରା ରାଜେ ସିନ୍ଧିଆ ସହାୟତା କରୁଛନ୍ତି । ତେଣୁ ଗେହଲଟ କଣ କହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ପାଇଲଟ୍ ପ୍ରଶ୍ନ ପଚାରିଛନ୍ତି । ଏହାସହ ଗେହଲଟ ସରକାର ୨୦୨୦ ମସିହାରେ ତାଙ୍କ ଉପରେ ଦେଶଦ୍ରୋହ ଭଳି ସଂଗୀନ ଅପରାଧିକ ମାମଲା ରୁଜୁ କରିବାକୁ ଚେଷ୍ଟା କରିଥିଲେ ବୋଲି ପାଇଲଟ ଅଭିଯୋଗ ଆଣିଛନ୍ତି ।

କେବଳ ସେତିକି ନୁହେଁ ଗେହଲଟ ତାଙ୍କୁ କରୋନା, ଗଦ୍ଦାର-ନିକ୍କମା ଭଳି ଶବ୍ଦ ବ୍ୟବହାର କରିଛନ୍ତି । ହେଲେ ଏହା ଉପରେ ସାର୍ବଜନୀକ ସ୍ତରରେ ପାଇଲଟ କିଛି କହିବାକୁ ଚାହାଁନ୍ତି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହାସହ ଗେହଲଟ ସଭାରେ କଂଗ୍ରେସ ନେତାଙ୍କୁ ଅପମାନିତ କରି କାହିଁକି ବିଜେପି ନେତାଙ୍କର ପ୍ରଶଂସା କରୁଛନ୍ତି ବୋଲି ପାଇଲଟ୍ ପ୍ରଶ୍ନ କରିଛନ୍ତି ।