ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନ ଓ ଚୀନକୁ ଝଟକା : ଭାରତ ସପକ୍ଷରେ ଦୃଢ ଯୁକ୍ତି ରଖିଲା ଋଷ

534

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଭାରତ ସମର୍ଥନରେ ବାହାରିଛି ଋଷ୍ । କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା କରନ୍ତୁ ଏବଂ ଏଥିରେ ଜାତିସଂଘ ସୁରକ୍ଷା ପରିଷଦ ମୁଣ୍ଡ ଖେଳାଇବା ଉଚିତ ନୁହେଁ ବୋଲି ଋଷ କହିଛି । ସେହିପରି ଭାରତକୁ ଫ୍ରାନ୍ସର ସମର୍ଥନ ବି ମିଳିଛି । ଅନ୍ୟପଟେ ବୈଠକ ଆରମ୍ଭରୁ ପାକିସ୍ତାନର ସ୍ୱର ସହ ସ୍ୱର ମିଳାଇଥିଲା ଚୀନ୍ । ବୈଠକ ଶେଷ ହେବା ପରେ ଚୀନ ରାଷ୍ଟ୍ରଦୂତ କହିଛନ୍ତି ଭାରତ ଯେଉଁ ସାମ୍ବିଧାନିକ ସଂଶୋଧନ କରିଛି ସେଥିରେ କାଶ୍ମୀର ସ୍ଥିତି ଉତେଜନାପୂର୍ଣ୍ଣ ରହିଛି ।

କାଶ୍ମୀରର ପରିସ୍ଥିତି ଚିନ୍ତାଜନକ ରହିଛି । ଏବଂ କୌଣସି ପକ୍ଷ ଏକତରଫା ଭାବେ ନିଷ୍ପତି ନନେବାକୁ ପରାମର୍ଶ ଦେଇଛି ଚୀନ୍ । ଏଭଳି ଏକତରଫା ନିଷ୍ପତି ବୈଧ ନୁହେଁ । କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଏନେଇ ଆଲୋଚନା କରିବାକୁ ଜାତିସଂଘ ସୁରକ୍ଷା ପରିଷଦକୁ ଅନୁରୋଧ କରି ଚିଠି ଲେଖିଥିଲା ପାକିସ୍ତାନ । ପାକିସ୍ତାନକୁ ସମର୍ଥନ କରି ଚୀନ ମଧ୍ୟ ଚର୍ଚ୍ଚା ପାଇଁ ଚିଠି ଲେଖିଥିଲା । ତାପରେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ବସିଥିଲା । ତେବେ ଏହି ବୈଠକରେ କେବଳ ଚୀନକୁ ଛାଡିଦେଲେ ଅନ୍ୟ ରାଷ୍ଟ୍ରମାନେ ପାକିସ୍ତାନକୁ ସମର୍ଥନ କରିନଥିବା ଜଣାପଡିଛି ।

ସେପଟେ କାଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ନେଇ ପ୍ରତିକ୍ରିୟା ରଖିଛି ଭାରତ । ଜାତିସଂଘରେ ଭାରତ ସ୍ଥାୟୀ ଦୂତ ଆକବରୁଦ୍ଧିନ ଚୀନ ଓ ପାକିସ୍ତାନ ମତର କଡା ଜବାବ ରଖିଛନ୍ତି । ସେ କହିଛନ୍ତି ଧାରା ୩୭୦ ହେଉଛି ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏହାକୁ ନେଇ ବିଶ୍ୱ ସ୍ତରରେ ଆଲୋଚନା କରିବା ଅପ୍ରାସଙ୍ଗିକ । ଏହାସହ ଏହାର ଉଚ୍ଛେଦ କାଶ୍ମୀରର ବିକାଶ ପାଇଁ କରାଯାଇଛି । ସାରା ବିଶ୍ୱ କାଶ୍ମୀର ଇତିହାସ ସଂପର୍କରେ ଅବଗତ ରହିଛି ବୋଲି କହିଛନ୍ତି ଆକବରୁଦ୍ଧିନ । ଶାନ୍ତି ଓ ସୌହାର୍ଦ୍ଧ୍ୟ ପାଇଁ ଭାରତ ପ୍ରତିବଦ୍ଧ ଏବଂ ଆନ୍ତର୍ଜାତୀୟ ନିୟମକୁ ଗୁରୁତ୍ୱ ଦିଏ ବୋଲି ସେ କହିଛନ୍ତି ।