ପାଣି ଭାର ବୋହି ପେଟ ପୋଷୁଛନ୍ତି ବାଲେଶ୍ୱରର ରାମଚନ୍ଦ୍ର ପାତ୍ର। ୪୫ ବର୍ଷ ହେଲା ବାହୁଙ୍ଗିରେ ବୋହୁଛନ୍ତି ପାଣି।

72

କନକ ବ୍ୟୁରୋ: ପାଣି ଭାର ବୋହି ପରିବାର ପୋଷୁଛନ୍ତି ୬୫ ବର୍ଷୀୟ ବୃଦ୍ଧ । ୪୫ ବର୍ଷ ଧରି ଅମର୍ଦାରୋଡ ଅଞ୍ଚଳରେ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଆସୁଛନ୍ତି ବୟସ୍କ ବ୍ୟକ୍ତି । ବୟସ ୬୫ ଅତିକ୍ରମ କଲାଣି ହେଲେ ଏବେ ବି ଥକି ପଡିନାହାନ୍ତି ରାମଚନ୍ଦ୍ର ପାତ୍ର । ସକାଳ ଏବଂ ସନ୍ଧ୍ୟାରେ ବାହୁଙ୍ଗି ଏବଂ ଦୁଇଟି ଟିଣ ଧରି ବାହାରି ପଡନ୍ତି ପାଣି ବୋହିବା ପାଇଁ । ଅମର୍ଦା ରୋଡରେ ଥିବା ନଳକୂଅରୁ ପାଣି ଆଣି ପ୍ରାୟ ୧୦ରୁ ୧୫ ଦୋକାନୀଙ୍କୁ ଦେଇଥାନ୍ତି । ଗୋଟିଏ ଭାର ପାଣି ପାଇଁ ଦୋକାନୀ ୬ରୁ ୭ ଟଙ୍କା ଦେଉଛନ୍ତି । ଦୈନିକ ୧୫୦ରୁ ୨୦୦ ଟଙ୍କା ରୋଜଗାର କରନ୍ତି । ଏହି କାମ ସେ ଦୀର୍ଘ ୪୫ ବର୍ଷ ଧରି କରି ଆସୁଛନ୍ତି । ତେଣୁ ରାମଚନ୍ଦ୍ର ଅମର୍ଦା ଅଞ୍ଚଳରେ ପାଣି ମଉସା ଭାବେ ବେଶ ପରିଚିତ ।

ରାମଚନ୍ଦ୍ରଙ୍କର ଜମିବାଡି କିଛିନଥିବାରୁ ଏହି ପାଣି ବାହାର ବହି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଉଛନ୍ତି । ରାମଚନ୍ଦ୍ରଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବସନ୍ତପୁର ଗାଁରେ । ପାଣି ଭାର ବୋହି ପରିବାର ପୋଷୁଥିବା ରାମଚନ୍ଦ୍ରଙ୍କୁ ୬୫ ବର୍ଷ ହେଲାଣି । ହେଲେ ଏଯାଏଁ ତାଙ୍କୁ ଭତା ମିଳିନାହିଁ । ଏହାସହ ନିଜର ଜମି ନଥିବାରୁ ସରକାରୀ ଆବାସ ଯୋଜନାରେ ଘରଟିଏ ମଧ୍ୟ ମିଳିପାରିନାହିଁ । ତେଣୁ ଆଜି ବି ପାଣି ବୋହି ପରିବାର ପୋଷୁଛନ୍ତି ରାମଚନ୍ଦ୍ର ।