ଅସରାଏ ବର୍ଷାରେ ମେଡିକାଲ ଭିତରେ ପାଣି ! ଅବ୍ୟବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

52

କନକ ବ୍ୟୁରୋ : ଅସରାଏ ବର୍ଷାରେ ପାଣି ପଶୁଛି ମେଡିକାଲ ଭିତରେ । ପୁଣି ଅଧିକ ସଂକ୍ରମଣ ଆଶଙ୍କା ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡର ଅବସ୍ଥା ଆହୁରି ସାଂଘାତିକ । ଚଟାଣରେ ଅପରିଷ୍କାର ପାଣି ଲହଡି ମାରୁଥିବା ବେଳେ ନବଜାତ ଛୁଆକୁ ଧରି ବେଡ୍ ଉପରେ ଅଛନ୍ତି ମାଆ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ନବଜାତ ଛୁଆକୁ ଧରି ବସିଛନ୍ତି ପ୍ରସୂତୀ ମାଆ । ଆଉ ତଳେ ଲହଡି ଭାଙ୍ଗୁଛି ବର୍ଷା ପାଣି । ନର୍ଦ୍ଦମାର ଅପରିଷ୍କାର ପାଣି ବର୍ଷା ଜଳ ସହ ମିଶିଥିବା ବେଳେ ରହିଛି ସଂକ୍ରମଣର ଆଶଙ୍କା । ହେଲେ ହସ୍ପିଟାଲ କର୍ତୃପକ୍ଷଙ୍କ ଏଥିପ୍ରତି ନଜର ନାହିଁ । ଆଉ ଅନ୍ୟ ଉପାୟ ନପାଇ ହାତରେ ଝାଡୁ ଧରି ମଇଳା ପାଣିକୁ ପରିଷ୍କାର କରିବାରେ ଲାଗିଛନ୍ତି ରୋଗୀଙ୍କ ସଂପର୍କୀୟ ।

ଅସରାଏ ବର୍ଷା ହେଲେ ଅବସ୍ଥା ବେହାଲ । ମୁଖ୍ୟ ଚିକିତ୍ସାଳୟର ଆଉଟଡୋର ସାମନାରେ ସୃଷ୍ଟି ହେଉଛି କୃତ୍ରିମ ବନ୍ୟାର ପରିସ୍ଥିତି । ଏହି ମଇଳା ପାଣିରେ ପଶି ରୋଗୀ ଓ ସଂପର୍କୀୟମାନେ ଯାଉଛନ୍ତି ହସ୍ପିଟାଲ ଭିତରକୁ । ଫଳରେ ବେଡ୍ ଅଭାବରୁ ବାରଣ୍ଡାରେ ରହିଥିବା ପ୍ରସୂତୀ ଓ ନବଜାତକଙ୍କୁ ରହୁଛି ସଂକ୍ରମଣର ଆଶଙ୍କା । ବର୍ଷା ଛିଟାରେ ବି ହନ୍ତସନ୍ତ ହେଉଛନ୍ତି ଏହି ରୋଗୀମାନେ । ଖାଲି ସେତିକି ନୁହେଁ, ହସ୍ପିଟାଲର ଛାତ ପାଣି ଆଉ ନଳା ପାଣି ୱାର୍ଡ ଭିତରେ ପଶି ଘର ବାରଣ୍ଡା ହୋଇପଡୁଛି ଏକାକାର ।

ସବୁଠୁ ପରିତାପର ବିଷୟ ହେଉଛି ମୁଖ୍ୟ ଚିକିତ୍ସାଳୟର ଏପରି ଅବ୍ୟବସ୍ଥା ସଂପର୍କରେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ । ଫଳରେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି ରୋଗୀମାନେ ।