“ବିଜେପି ଓ ଆରଏସଏସ ମୋ ଗୁରୁ” : ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

132

କନକ ବ୍ୟୁରୋ : ରାହୁଲ ଗାନ୍ଧୀ କହିଛନ୍ତି କି ଦେଶରେ ବଢୁଥିବା ଘୃଣା ଓ ହିଂସା ବିରୋଧରେ ଏହି ଭାରତ ଯୋଡ ଯାତ୍ରା । ଏହା ଦେଶବାସୀଙ୍କ ସ୍ୱର, ଏହି କ୍ରମରେ ଆଜି ସେ ବିଜେପି ଓ ସଂଘ ପରିବାରର ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି ବିଜେପି ଓ ସଂଘ ପରିବାର ମୋ ଉପରେ ଯେତେ ଆକ୍ରମଣ କରୁଛନ୍ତି ମୋର ସେତେ ଅଗ୍ରଗତି ହେବାରେ ଲାଗିଛି । ବିଜେପି ଓ ସଂଘ ପରିବାର ରାହୁଲ ଗାନ୍ଧୀଙ୍କୁ ରାସ୍ତା ଦେଖାଉଥିବା କଥା ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେପଟେ ଲୋକମାନେ ଯେତେବେଳେ ପଚାରିଥିଲେ କି ଏହି ଯାତ୍ରା ସମାପ୍ତ ହେବା ପରେ କଣ ହେବ । ଏହାର ଉତ୍ତରରେ ରହୁଲ ଗାନ୍ଧୀ କହିଛନ୍ତି କି ଏହି ଯାତ୍ରା ମାଧ୍ୟମରେ ଆମେ ଦେଶବାସୀଙ୍କୁ କିଛି କହିବାକୁ ଚେଷ୍ଟା କରୁଛୁ । ସେମାନେ ଶୁଣିବା ପରେ ଏହାର ଜବାବ୍ ରଖିବେ । ସେମାନେ ଜବାବ ରଖିବା ପୂର୍ବରୁ ଯଦି କିଛି କରାଯାଏ ତେବେ ଏହା ହିନ୍ଦୁସ୍ତାନର ଜନତାଙ୍କ ପ୍ରତି ଅପମାନ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭାରତ ଯୋଡ ଯାତ୍ରାରେ ଯୋଗ ଦେବା ନେଇ ଅଖିଳେଶ ଓ ମାୟାବତୀ ମନା କରିବା ପରେ ରାହୁଲ ଗାନ୍ଧୀ କହିଛନ୍ତି କି, ଆମେ ଜାଣିଛୁ ଦେଶର ସମସ୍ତ ବିରୋଧୀଦଳ ଆମ ସହିତ ଅଛନ୍ତି । ହେଲେ କିଛି ବାଧ୍ୟବାଧକତା ଥିବାରୁ କେହି କେହି ଭାରତ ଯୋଡ ଯାତ୍ରାରେ ଯୋଗଦେଉ ନାହାଁନ୍ତି । ମାତ୍ର ଭାରତ ଯୋଡ ଯାତ୍ରାରେ ସାମିଲ ହେବାକୁ ସମସ୍ତ ବିରୋଧୀଦଳଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ସେ ସ୍ପଷ୍ଟ କରିଛନ୍ତି ।

ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି ବିଜେପି ପାଖରେ ଅର୍ଥର ଅଭାବ ନାହିଁ । ଏହି କାରଣରୁ ସେ ମିଥ୍ୟା ପ୍ରସଙ୍ଗରେ କ୍ୟାମ୍ପେନ ଚଳାଇଛନ୍ତି । ହେଲେ କ୍ୟାମ୍ପେନ ଆଢୁଆଳରେ ସତ୍ୟକୁ ଲୁଚାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।