ମୋଦୀ ସରକାର ସହ ଲଢେଇ ପାଇଁ ରାହୁଲ ଗାନ୍ଧୀଙ୍କ ‘ମୋଦୀ ପ୍ଲାନ’, ୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ

331

କନକ ବ୍ୟୁରୋ : ଲୋକ କଥା ରହିଛି ଯେ କଣ୍ଟାକୁ କଣ୍ଟା ଦ୍ୱାରା କଢାଯାଇଥାଏ। ତେବେ ନିକଟରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏହି ସମାନ ତରିକା ଆପଣେଇ ବିଜେପିର ମୋଦୀ ସରକାରଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଗଷ୍ଟ ୨୨ ତାରିଖରେ କନଷ୍ଟିଚ୍ୟୁସନ୍ କ୍ଲବରେ ରାହୁଲ ଗାନ୍ଧୀ ସିଭିଲ ସୋସାଇଟିର ସଦସ୍ୟ ଏବଂ ସଂଗଠନ ସହ ଆଲୋଚନା କରିବେ। ରାହୁଲଙ୍କ ଏହି ଆଲୋଚନାରେ ସେପ୍ଟେମ୍ବର ୭ରୁ ଆରମ୍ଭ ହେବାକୁ ଥିବା କନ୍ୟାକୁମାରୀରୁ କାଶ୍ମୀରଯାତ୍ରା ବା ଭାରତ ଯୋଡୋ ଯାତ୍ରା ବାବଦରେ ମଧ୍ୟ ଚର୍ଚ୍ଚା ଆଲୋଚନା ହେବ ।

ଭାରତ ଯୋଡୋ ଯାତ୍ରାର ସଂଯୋଜକ ଦିଗବିଜୟ ସିଂହ ଏହି ସନ୍ଦର୍ଭରେ ମେଧା ପାଟକର, ଯୋଗେନ୍ଦ୍ର ଯାଦବଙ୍କ ସହ ଅନ୍ୟ ସମାଜସେବୀଙ୍କ ସହ ଆଲୋଚନା କରିଛନ୍ତି । ଶୀଘ୍ର ଅଗଷ୍ଟ ୨୨ରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଅତିଥିଙ୍କ ତାଲିକା ମଧ୍ୟ ଜାରିକରାଯିବ । ୨୦୧୪ ପୂର୍ବରୁ ୟୁପିଏ ସରକାରଙ୍କ ବିରୋଧରେ ଆନ୍ନା ହଜାରେ, ରାମଦେବ, ଇଣ୍ଡିଆ ଏଗନେଷ୍ଟ କରପସନ ସହ ଅନେକ ସାମାଜିକ ସଂଗଠନ ବଡ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକୁ ପଛରୁ ରହି ବିଜେପି ଏବଂ ଆରଏସଏସ ନିଜର ସମର୍ଥନ ଜଣାଇଥିଲା । ଏହି ଅଭିଯାନ କଂଗ୍ରେସର ସରକାରକୁ ମୂଳପୋଛ କରିଦେଇଥିଲା ।

ବର୍ତ୍ତମାନ ରାହୁଲ ଗାନ୍ଧୀ ସମାନ ତରିକା ଆପଣେଇଛନ୍ତି । ସାମାଜିକ ସଂଗଠନ ସହ ମିଶି ଏଭଳି ମାହୋଲ ତିଆରି କରାଯାଉଛି ଯାହା ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ସୃଷ୍ଟି କରାଯାଇପାରିବ । ମୋଦୀ ସରକାରଙ୍କ ବିଭିନ୍ନ କାମକୁ ନେଇ ସାଧାରଣ ଲୋକଙ୍କ ପାଖରେ ସାମାଜିକ ସଂଗଠନ ପହଞ୍ଚିପାରିବେ । ଦରଦାମବୃଦ୍ଧି, ସାମ୍ବିଧାନିକ ସଂସ୍ଥାର ଦୂରୁପୋଯୋଗ, ବେରୋଜଗାର, କୃଷକଙ୍କ ସ୍ଥିତି, ମାନ୍ଦାବସ୍ଥା , ଗରିବଙ୍କ ଆକାଉଣ୍ଟରେ ନ୍ୟାୟ ଯୋଜନାରେ ଟଙ୍କା ପଠାଇବା ଭଳି ଯୋଜନାର ପ୍ରସଙ୍ଗକୁ ନେଇ କଂଗ୍ରେସ ସମାଜସେବୀମାନଙ୍କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯୋଜନା କରୁଛି । ଏହି ସବୁ ପ୍ରସଙ୍ଗରେ ଅଗଷ୍ଟ୨୨ରେ ରାହୁଲ ଗାନ୍ଧୀ ନିଜର ମନର କଥା ସାମାଜିକ କର୍ମୀଙ୍କ ଆଗେର ରଖିବେ । ଏହା ପରେ ଅଗଷ୍ଟ ୨୩ରେ କଂଗ୍ରେସ ଭାରତ ଯୋଡୋ ଯାତ୍ରାର ଲୋଗୋ ଏବଂ ୱେବସାଇଟ ସହ ଆନ୍ଦୋଳନର ନାରା ଜାରିକରିବ ।

କନ୍ୟାକୁମାରୀ ଠାରୁ ନେଇ କାଶ୍ମୀର ଯାଏ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା କରିବାକୁ ଯାଉଛନ୍ତି । ପାଞ୍ଚମାସ ଧରି ଏହି ଅଭିଯାନ ଜାରି ରହିବ । ଏହି ଅବସରରେ କଂଗ୍ରେସ ସେହି ରାଜ୍ୟଗୁଡିକୁ ଗୁରୁତ୍ୱ ଦେବ ଯେଉଁଠି ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଦଳ ଏହି ଯାତ୍ରା ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଏକ ଜନସମ୍ପର୍କ ଅଭିଯାନ ଭାବେ କରିବାକୁ ଯାଉଛି । ୧୨ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ରାହୁଲ ଗାନ୍ଧୀ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହେବେ ।