ଖାକି ପ୍ୟାଣ୍ଟ ସହ ରଙ୍ଗବେରଙ୍ଗର ସାର୍ଟ ଓ ହାତରେ ଜ୍ୟାକେଟ, ନୂଆ ରୂପରେ ଜଙ୍ଗଲ ସଫାରି କରିବାକୁ ବାହାରିଲେ ପ୍ରଧାନମନ୍ତ୍ରୀ

194

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ନୂଆ ରୂପରେ ଦେଖିବାକୁ ପାଇଛନ୍ତି ଜନତା । ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର ବାନ୍ଦୀପୁରା ଓ ମୁଦୁମଲାଇ ଟାଇଗର ରିଜର୍ଭ ଗସ୍ତରେ ବାହାରିଛନ୍ତି । ଏହି ଟାଇଗର ରିଜର୍ଭ ଫରେଷ୍ଟକୁ ୫୦ ବର୍ଷ ପୁରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହାର ମଜା ଉଠାଇବାକୁ ଜଙ୍ଗଲ ସଫାରିରେ ବାହାରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟରରେ ଏକ ଫଟୋ ସେୟାର କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧି ଜଙ୍ଗଲ ସଫାରିରେ ଯାଉଥିବାର ଦେଖିବାକୁ ମିଳିଛି ।

ଏହି ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଖାକି ପ୍ୟାଣ୍ଟ ସହ ପ୍ରିଣ୍ଟେଡ ସାର୍ଟ ଓ ହାତରେ ଏକ ଜ୍ୟାକେଟ ଧରି ଚାଲୁଥିବାର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ରିବବାର ସକାଳେ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏହାସହ ଦିନ ୧୧ଟା ବେଳକୁ ବାଘ ଗଣନାର ପରିସଂଖ୍ୟାନ ଜାରି କରିବେ ।

କେବଳ ସେତିକି ନୁହେଁ ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ବ୍ୟାଘ୍ର ସଂରକ୍ଷଣ ପାଇଁ ଅମୃତକାଳ ଭିଜନ ମଧ୍ୟ ଜାରି କରିବେ । ଏହାସହ ଇଣ୍ଟରନ୍ୟାସନାଲ ବିଗ୍ ଫ୍ୟାଟସ ଆଲିୟାନ୍ସ ମଧ୍ୟ ଜାରି କରିବେ । ଏଥିରେ ବ୍ୟାଘ୍ର ପ୍ରଜାତିର ୭ପ୍ରକାର ପଶୁଙ୍କ ସୁରକ୍ଷା ପାଇଁ ଏହି ସଂଗଠନ ଧ୍ୟାନ କେନ୍ଦ୍ରିତ କରିବ ବୋଲି କୁହାଯାଇଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଜଙ୍ଗଲ ସଫାରିକୁ ନଜରରେ ରଖି ମୈସୁର ଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏପ୍ରିଲ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟକୁ କୌଣସି ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ।