ପଦ୍ମପୁର ଉପନିର୍ବାଚନ: ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକରୁ ବାଦ ପଡିଲେ ପ୍ରଣବ, ପ୍ରମିଳା, ବ୍ୟୋମୋକେଶ। ବିଜେପି ପାଇଁ ପ୍ରଚାର କରିବେ ୪ କେନ୍ଦ୍ରମନ୍ତ୍ରୀ

536

କନକ ବ୍ୟୁରୋ: ଚାଷୀଙ୍କୁ ନେଇ ବିଜେଡି, ବିଜେପି ଭିତରେ ଟଣାଓଟରା । ବିଜେଡି କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କୁ ଦୋଷ ଦେଉଛି । ସେପଟେ ପଦ୍ମପୁରରେ ଚାଷୀଙ୍କ ଭୋଟ ହାତେଇବାକୁ ଉଦ୍ୟମ ଚାଲିଛି । ଏସବୁ ଭିତରେ ବିଜେପି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପଦ୍ମପୁର ନିର୍ବାଚନ ମଇଦାନକୁ ଆଣିବାକୁ ଯୋଜନା ଚଳାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ।

ବିଜେପି ପକ୍ଷରୁ ପ୍ରକାଶିତ ଷ୍ଟାର ପ୍ରଚାରକ ତାଲିକାରେ ନାହାଁନ୍ତି ନରେନ୍ଦ୍ର ସିଂ ତୋମାର । ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୪ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ଓ ଅର୍ଜ୍ଜୁନ ମୁଣ୍ଡା ପଦ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ନାଁ ମଧ୍ୟ ଷ୍ଟାର କ୍ୟାମ୍ପେନରଙ୍କ ତାଲିକାରେ ରହିଛି । ଧାମନନଗର ନୂଆ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ପଦ୍ମପୁର ଯାଇ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ ।

ବିଜେଡି ବି ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୦ଜଣଙ୍କ ମନ୍ତ୍ରୀ ରହିଛନ୍ତି । ତେବେ ତାଲିକାରୁ ବାଦ ପଡିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ, ଓ ବ୍ୟୋମୋକେଶ ରାୟ । କିନ୍ତୁ ଏହି ତାଲିକାରେ ମନ୍ତ୍ରୀ ସମୀର ଦାସଙ୍କୁ ସାମିଲ କରାଯାଇଛି । ସେହିପରି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାରେ ରଖାଯାଇଛି । ଅଭିନେତା ଅରିନ୍ଦମ, ଆକାଶ ଦାସ ନାୟକ ଓ କୁନା ତ୍ରିପାଠୀ ମଧ୍ୟ ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଛନ୍ତି ।