ପୁଣି ଡରାଇଲାଣି କରୋନା ସଂକ୍ରମଣ, ଦୈନିକ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରମାନେ ବଢାଉଛନ୍ତି କଟକଣା

162

କନକ ବ୍ୟୁରୋ : ସାରା ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏସବୁକୁ ନଜରରେ ରଖି ଦେଶର ୩ଟି ରାଜ୍ୟ ସରକାର ଏବେ କରୋନା କଟକଣା କଡାକଡି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଚଳିତ ସପ୍ତାହରେ ଏନେଇ ଏକ ସମୀକ୍ଷା ବୈଠକ ମଧ୍ୟ କରସାରିଛନ୍ତି । ବୈଠକରେ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରମାନେ ପ୍ରସ୍ତୁତ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ଏହାସହ ଚଳିତମାସ ୧୦ ଓ ୧୧ ତାରିଖ ଦୁଇଦିନ ମକଡ୍ରିଲ କରିବାକୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଏସବୁ ଭିତରେ ହରିଆଣା ସରକାର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ସେହିଭଳି କେରଳ ସରକାର ମଧ୍ୟ ଗର୍ଭବତୀ ମହିଳା, ବୟସ୍କବ୍ୟକ୍ତି ଓ ରୋଗୀମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରି ଏସବୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପୁଡୁଚେରୀ ସରକାର ମଧ୍ୟ ତକ୍ରାଳ ପ୍ରଭାବରେ ସାର୍ବଜନୀନ ସ୍ଥାନରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି ।

ସୂଚନା ଥାଉକି, ୨୦୨୨ ସେପ୍ଟେମ୍ବର ପରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬,୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମଣ ଆକ୍ଟିଭ ସଂଖ୍ୟା ୩୧,୧୯୪ରେ ପହଂଚିଛି ।