କୃଷକ କାର୍ଡ ନାଁରେ ଜାଲିଆତି! ଅନଲାଇନରେ ଚାଲିଛି ବଡ଼ ଠକେଇ; ମାଲାମାଲ ହେଉଛନ୍ତି ଦଲାଲ

509

କନକ ବ୍ୟୁରୋ: ଚାନ୍ଦବାଲିରେ ଫାର୍ମର୍ସ ଆଇଡି କାର୍ଡ ଖୋଲିବାକୁ ସାଇବର କାଫେରେ ନାହିଁ ନଥିବା ଭିଡ । ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ କିଷାନ୍ ଡଟ୍ ଜିଓଭି ଡଟ୍ କମ୍ ୱେବସାଇଟରେ ମାତ୍ର ୧୦ ମିନିଟରେ ଏହି ଆଇଡି କାର୍ଡ ଖୋଲାଯାଉଛି । ପିଏମ୍ କିଷାନ୍ ଯୋଜନାରେ ୨ ହଜାର ଟଙ୍କା ମିଳିବା ଲୋଭରେ ଏଭଳି ଫେକ୍ ଆଇଡି କାର୍ଡ କରିବା ପାଇଁ ଲମ୍ବା ଲାଇନ ଲାଗୁଛି । ଏହାର ସୁଯୋଗ ନେଇ ମାଲାମାଲ ହେଉଛନ୍ତି ଦଲାଲ । ତେବେ ଏପରି କୌଣସି ୱେବସାଇଟ୍ ସଂପର୍କରେ ଜିଲ୍ଲା ପ୍ରଶାସନ ପାଖରେ କିଛି ଖବର ନାହିଁ । ଏ ନେଇ ୨୪ ଘଂଟା ଭିତରେ ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସାରା ଦେଶରେ ପ୍ରାୟ କୋଟିଏ ଲୋକ ଏହି ୱେବସାଇଟ୍ରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଦେଇଛନ୍ତି । ଏହା ଜରିଆରେ ଏକ ବଡ଼ ଧରଣର ଠକେଇ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଏ ହେଉଛି WWW.KISAN.GOV.IN ୱେବସାଇଟ୍ । ଏହା କେନ୍ଦ୍ର କୃଷି ମନ୍ତ୍ରାଳୟର ୱେବସାଇଟ୍ ବୋଲି ଦାବି କରାଯାଉଛି । ଏହି ୱେବସାଇଟରୁ ସରକାରଙ୍କ ବିଭିନ୍ନ ଯୋଜନାରେ ସୁବିଧା ଉପଲବ୍ଧ ବୋଲି ଦର୍ଶାଯାଇଛି । ଗତ କିଛି ମାସ ହେବ ଏହି ସାଇଟର ମାୟାରେ ପଡ଼ିଛନ୍ତି ଲକ୍ଷ ଲକ୍ଷ ଚାଷୀ । ଏପଟେ ଚାଷୀଙ୍କୁ ଫାର୍ମର୍ସ ଆଇଡି କରାଇ ଦେବା ନାଁରେ ଲୁଟ କରି ମାଲେମାଲ ହେଉଛନ୍ତି ଦଲାଲ ।

ଫାର୍ମସ ଆଇଡ଼ି ଆବେଦନ ସମୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଂଟ ନମ୍ବର, ଆଧାର କାର୍ଡ଼, ଫୋନ ନମ୍ବର ଏବଂ ପାନକାର୍ଡର ତଥ୍ୟ ଦେବାକୁ ପଡୁଛି । ଏଥିପାଇଁ ଦଲାଲ ୨ଶହ ଟଙ୍କା ଲେଖାଏଁ ଆଦାୟ କରୁଥିବା ବେଳେ ବିଭିନ୍ନ ସାଇବର କାଫେରେ ମାତ୍ର ୨୦ଟଙ୍କା ଦେଲେ ଏହି ଆଇଡି କାର୍ଡ ମିଳିପାରୁଛି । ପିଏମ୍ କିଶାନ ଯୋଜନାରେ ମିଳୁଥିବା ଦୁଇ ହଜାର ଟଙ୍କା ଆଶାରେ ଛୋଟ ଠାରୁ ବୟସ୍କ ସମସ୍ତ ଏବେ କିଷାନ କାର୍ଡ଼ କରିବାରେ ଲାଗି ପଡ଼ିଛନ୍ତି ।

ଏହା କେବଳ ଚାନ୍ଦବାଲି କି ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ଏହି ୱେବସାଇଟ୍ ମାୟାରେ ପଡ଼ିଛନ୍ତି ଲୋକେ । ୱେବସାଇଟରେ ଥିବା ତଥ୍ୟ ଅନୁସାରେ ତେଲେଙ୍ଗାନାରେ ୩୩ଲକ୍ଷ ପଞ୍ଜିିକୃତ ହୋଇଥିବା ବେଳେ କେରଳରେ ୧୯ଲକ୍ଷରୁ ଅଧିକ ଫାର୍ମର୍ସ ଆଇଡି ହୋଇସାରିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୨ଲକ୍ଷ ୭୬ହଜାର ଫାର୍ମରର୍ସ ଆଇଡି କାର୍ଡ଼ ହୋଇଛି । କଟକରେ ୨ ଲକ୍ଷ ୭୦ହଜାର, କେନ୍ଦ୍ରପଡ଼ାରେ ୬୦ ହଜାର, ଭଦ୍ରକ ଜିଲ୍ଲାରେ ୩୦ହଜାର ଫାର୍ମର୍ସ ଆଇଡି ହୋଇସାରିଛି । ସବୁଠୁ ବଡ଼ କଥା ହେଉଛି, ଏହି ୱେବସାଇଟ୍ ନେଇ ଅନ୍ଧାରରେ ରହିଛି ପ୍ରଶାସନ । ନା’ କୃଷି ଅଧିକାରୀଙ୍କ ପାଖରେ ଖବର ଅଛି ନା’ ଜିଲ୍ଲା ପ୍ରଶାସନ ପାଖରେ । ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ୨୪ ଘଂଟା ଭିତରେ କୃଷି ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ତେବେ ୱେବସାଇଟଟି ଅସୁରକ୍ଷିତ ହୋଇଥିବାରୁ ଏଥିରେ ବ୍ୟକ୍ତିଗତ ତଥ୍ୟ ଦେଇଥିବା ଲକ୍ଷ ଲକ୍ଷ ଲୋକ ଏକ ବଡ଼ ଧରଣର ଠକେଇର ଶିକାର ହେବା ଆଶଙ୍କା ରହିଛି ।