ସିଦ୍ଦରମୈୟାଙ୍କ ଶପଥ ଗ୍ରହଣ ଉତ୍ସବରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ, ଜାଣନ୍ତୁ କିଏ କିଏ ହେଲେ ସାମିଲ ?

1,043

କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ସିଦ୍ଦରମୈୟା ଶପଥ ନେଇଛନ୍ତି । ଏହି କ୍ରମରେ ଡି.କେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ନୁହଁନ୍ତି କ୍ୟାବିନେଟର ୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବ କଂଗ୍ରେସ ପାଇଁ ଯେତିକି ମହତ୍ୱପୂର୍ଣ୍ଣ ନୁହେଁ ବରଂ ତା ଠାରୁ ଅଧିକ ମହତ୍ୱପୂର୍ଣ୍ଣ ହେଉଛି ମଞ୍ଚରେ ଉପସ୍ଥିତ ଥିବା ବିରୋଧୀ ଏକତାକୁ ନେଇ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମେଣ୍ଟବାନ୍ଧିବାକୁ ବସିଥିବା ପ୍ରାୟ ଅନେକ ରାଜନୈତିକ ଦଳର ନେତା ଏହି ମଞ୍ଚରେ ଉପସ୍ଥିତ ରହିଥିଲେ ।

ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ । ସେହିଭଳି କଂଗ୍ରେସ ଶାସିତ ରାଜ୍ୟର ପ୍ରାୟ ସମସ୍ତ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସେହିଭଳି ନ୍ୟାସନାଲ କନଫରେନ୍ସ ନେତା ଫାରକୁ ଅବ୍ଦୁଲ୍ଲା, ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାୱାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାର୍ଲିନ, ମକ୍କଲ ନିଧି ମାଇମର ପ୍ରମୁଖ କମଲ ହାସନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି ।

ଆଜିର ଏହି ଶପଥଗ୍ରହଣ ଉତ୍ସବରେ ଏତେ ସବୁ ନେତା ଯୋଗ ଦେବା ପରେ ଆଗାମୀ ଦିନରେ ବିଜେପି ବିରୋଧରେ ଏକ ବଡ ମେଣ୍ଟ ହୋଇପାରେ ବୋଲି ଆକଳନ କରାଯାଇଛି । ହେଲେ ଏହି ମେଣ୍ଟର ମୁଖ୍ୟ କିଏ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ କିଛିଦିନ ହେବ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାର୍ଲିନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିନ୍ନ ଭିନ୍ନ ତରିକାରେ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରୁଛନ୍ତି । ଏହା ମଧ୍ୟରୁ କିଛି ନେତୃତ୍ୱ କଂଗ୍ରେସକୁ ସାଥିରେ ନେଇ ମେଣ୍ଟ କରିବାକୁ ଯୋଜନା କରୁଥିବା ବେଳେ କିଛି ନେତୃତ୍ୱ ଅଣ କଂଗ୍ରେସ ଓ ଅଣ ବିଜେପି ଦଳମାନଙ୍କୁ ନେଇ ମେଣ୍ଟ କରିବାକୁ ଯୋଜନା କରୁଛନ୍ତି । ଏସବୁ ଭିତରେ ଆଜିର ଶପଥ ଗ୍ରହଣ ଉତ୍ସବକୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିମନ୍ତ୍ରଣ ନମିଳିବା ଏକ ଭିନ୍ନ ଦିଗ ପ୍ରତି ସୂଚିତ କରୁଛି ।