ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଧର୍ମେନ୍ଦ୍ରଙ୍କ ପରେ ମୁହଁ ଖୋଲିଲେ ଜୁଏଲ । ଅଫିସରଙ୍କୁ ଟାର୍ଗେଟ କହିଲେ ଏମିତି କଥା…

79

କନକ ବ୍ୟୁରୋ: ଆଇନର ପରିସର ଭିତରେ ପୁରୀ ପରିକ୍ରମା ପ୍ରକଳ୍ପ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ସାଂସଦ ଜୁଏଲ ଓରାମ । ଆଉ ଜୁଏଲଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ଯେତେବେଳେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ କିଛି ଅଫିସର ଏହି କାମ କରୁଥିବେ । ଆଉ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମନ୍ତବ୍ୟ ଉପରେ ସଫେଇ ରଖିବାକୁ ଯାଇ ଜୁଏଲ କହିଥିଲେ, ଚାପରେ ଥାଇପାରନ୍ତି ବିଧାୟକ ।

ପ୍ରଥମେ ଅପରାଜିତା ଷଡଙ୍ଗୀ ପ୍ରକଳ୍ପକୁ ଜୋରଦାର ବିରୋଧ କରିବା ପରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ଆସି ବେଆଇନ କାମ କଥା ଦୋହରାଇଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଆଇନର ପରିସର ଭିତରେ କାମ କରାଯାଉ । ଏହି କ୍ରମରେ ଆଜି ଜୁଏଲ କହିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ ନଥିବେ । ବିଭିନ୍ନ ସମୟରେ ବିଜେପି ନେତାଙ୍କ ଏଭଳି ଭିନ୍ନ ଭିନ୍ନ ମନ୍ତବ୍ୟ ବିଜେଡିକୁ ପ୍ରତିଆକ୍ରମଣ କରିବାକୁ ସୁଯୋଗ ଦେଇଛି ।

ଏହାରି ଭିତରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ମଙ୍ଗଳବାର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଆଗତ କରାଯିବ ବୋଲି କୁହାଯାଇଛି । ଅପରପକ୍ଷରେ ଉଚ୍ଚତମ ନ୍ୟାୟାଳୟକୁ ମାମଲା ଗଲେ, ବରିଷ୍ଠ ଓକିଲଙ୍କ ସହାୟତା ନେବାକୁ ରାଜ୍ୟ ଆଇନ ବିଭାଗକୁ ଚିଠି ଲେଖିଛି ପୂର୍ତ ବିଭାଗ ।