୧୧ ଲକ୍ଷ ପାଲେଷ୍ଟାଇନଙ୍କୁ ଇସ୍ରାଏଲ ସେନାର ଚେତାବନୀ । କହିଲା, ୨୪ ଘଣ୍ଟା ଭିତରେ ଗାଜା ଖାଲିକର ନହେଲେ ……

378

କନକ ବ୍ୟୁରୋ : ହମାସ ଚରମପନ୍ଥୀ ସଂଗଠନ ସହ ଲଢେଇ ମଧ୍ୟରେ ଇସ୍ରାଏଲ ସେନା ଗାଜାରେ ରହୁଥିବା ପାଲେଷ୍ଟାଇନମାନଙ୍କୁ ଚେତାବନୀ ଦେଇ କହିଛି କି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗାଜା ଖାଲିକର । ଗାଜାରେ ରହୁଥିବା ସାଧାରଣ ଲୋକଙ୍କୁ ଇସ୍ରାଏଲ ସେନା ଚେତାବନୀ ଦେଇଛି କି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେମାନେ ଗାଜାର ଦକ୍ଷିଣ ଭାଗକୁ ଚାଲିଯାଆନ୍ତୁ । ଇସ୍ରାଏଲ ସେନା ତରଫରୁ ଗାଜାରେ ରହୁଥିବା ୧୧ ଲକ୍ଷ ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ୧୧ ଲକ୍ଷ ଲୋକ ଯଦି ଉତ୍ତର ଗାଜା ଛାଡି ଦକ୍ଷିଣ ଗାଜାକୁ ଚାଲିଯାଆନ୍ତି ତେବେ ସେଠାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଂକା କରାଯାଉଛି ।

ଏନେଇ ଇସ୍ରାଏଲ ସେନା ପକ୍ଷରୁ ଯେଉଁ ବୟାନ ଜାରି କରାଯାଇଛି, ସେଥିରେ ଗାଜାର ୧୧ ଲକ୍ଷ ଲୋକଙ୍କୁ କୁହାଯାଇଛି କି, ‘ଆପଣମାନେ ଏହି ସହରକୁ ପୁଣିଥରେ ସେତେବେଳେ ଫେରିବେ ଯେତେବେଳେ ଆପଣଙ୍କୁ ଅନୁମତି ମିଳିବ’ । ହମାସ ଚରମପନ୍ଥୀମାନେ ଗାଜା ସହରରରେ ସୁଡଙ୍ଗ କରି ଓ ନିର୍ଦ୍ଦୋଷ ଲୋକଙ୍କ ଘରେ ଲୁଚି ରହିଥିବା କଥା ଦାବି କରିଛି ଇସ୍ରାଏଲ ସେନା । ଏନେଇ ଇସ୍ରାଏଲ ସେନା ଗାଜାର ଲୋକମାନଙ୍କୁ ସଚେତନ କରି କହିଛି କି ହମାସ ଚରମପନ୍ଥୀମାନଙ୍କୁ କେହି ନିଜ ଘରେ ଆଶ୍ରୟ ଦିଅନ୍ତୁ ନାହିଁ ।

ସେପଟେ ଇସ୍ରାଏଲ ସେନା ତରଫରୁ ଗାଜା ନିକଟବର୍ତ୍ତୀ ନିଜର ଦକ୍ଷିଣ ସୀମାରେ ୩ ଲକ୍ଷରୁ ଅଧିରୁ ସୈନିକ, ଗୋଳାବାରୁଦ ଓ ଟ୍ୟାଙ୍କ ଜମା କରିସାରିଛି । ହେଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି,ଇସ୍ରାଏଲ ସେନା କେବେ ଗାଜା ଭିତରେ ପଶି ହମାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ।