୧୫ ଦିନର ନବଜାତ ଶିଶୁକୁ ବିକିଲେ, ବିକ୍ରି ଟଙ୍କାରେ ବାଇକ୍ କିଣିଲେ । ଇନ୍ଦୋରରୁ ଆସିଲା ଶିଶୁବିକ୍ରିର ସାଙ୍ଘାତିକ ମାମଲା । ପଢନ୍ତୁ, କଣ ଥିଲା ପୂରା ଘଟଣା…

400

କନକ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରୁ ଆସିଛି ନବଜାତ ଶିଶୁବିକ୍ରିର ସାଙ୍ଘାତିକ ମାମଲା । ମାତ୍ର ୧୫ ଦିନ ତଳେ ଜନ୍ମ ହୋଇଥିବା ଗୋଟିଏ ଶିଶୁକୁ ତା ପିତାମାତା ବିକ୍ରି କରିଦେବା ସହିତ, ସେହି ଟଙ୍କାରେ ବାଇକ୍ ଓ ଘରକରଣା ଜିନିଷ କିଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ପୋଲିସ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଥିବାବେଳେ ମାମଲା ମଧ୍ୟ ଦାୟର କରିଛି ।

ମିଳିଥିବା ସୂଚନା ମୁତାବକ, ୧୫ ଦିନ ତଳେ ଜନ୍ମ ହୋଇଥିବା ଏକ ନବଜାତ ଶିଶୁକୁ ତା ପିତାମାତା ବିକ୍ରି କରିଦେଇଥିଲେ । ସାଢେ ୫ ଲକ୍ଷ ଟଙ୍କାରେ ଶିଶୁଟି ବିକ୍ରି ହୋଇଥିଲା । ତେବେ ମଧ୍ୟସ୍ଥିଙ୍କ କମିଶନ କାଟି ଉଭୟ ପିତାମାତାଙ୍କୁ ଏହାର ଅଧା ଟଙ୍କା ଦିଆଯାଇଥିଲା । ଆଉ ଏହି ଟଙ୍କା ପାଇବା ପରେ ପତି, ପତ୍ନୀ ବାଇକ୍ କିଣିଥିବା ଜଣାପଡିଛି ।

ପୋଲିସ ଏହି ମାମଲାର ଯାଞ୍ଚ କରିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ତେବେ ଜନ୍ମ ହେବା ପୂର୍ବରୁ ହିଁ ପତି-ପତ୍ନୀ ସନ୍ତାନଟିର ସୌଦା କରିଦେଇଥିବା ଜଣାପଡିଛି । ଆଶ୍ଚର୍ଯ୍ୟର କଥା ହେଉଛି, ଏହା ତାଙ୍କ ଉଭୟଙ୍କର ଦ୍ୱିତୀୟ ବିବାହ । ତେଣୁ ସ୍ତ୍ରୀଟି ଯେତେବେଳେ ଗର୍ଭବତୀ ଥିବା ବୋଲି ସ୍ୱାମୀ ଜାଣିପାରିଲେ, ସେତେବେଳେ ସେ ଏହାକୁ ତାଙ୍କ ସନ୍ତାନ ବୋଲି ଗ୍ରହଣ କରିନଥିଲେ । ତେଣୁ ଶେଷରେ ଉଭୟ ସନ୍ତାନକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ।

ପୋଲିସର ସୂଚନା ମୁତାବକ, ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ତେବେ ପିଲା ବିକ୍ରି ପାଇଁ ଦମ୍ପତ୍ତିକୁ ୨ ଲକ୍ଷ ୭୦ ହଜାର ଟଙ୍କା ଦିଆଯାଇଥିଲା । ଆଉ ଏହା ଟଙ୍କାରେ ସେମାନେ ଗୋଟିଏ ବାଇକ୍ କିଣିବା ସହିତ, ନିଜ ଘର ପାଇଁ ଅନେକ ଆସବାବପତ୍ର ମଧ୍ୟ କିଣିଥିଲେ ।