ଶିକ୍ଷୟିତ୍ରୀରୁ ରାଷ୍ଟ୍ରପତି ଯାଏଁ ଯାତ୍ରା । ଦେଶର ପ୍ରଥମ ଆଦିବାସୀ , ସବୁଠୁ କନିଷ୍ଠ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

182

କନକ ବ୍ୟୁରୋ: ଆଜି ଦେଶକୁ ମିଳିଛନ୍ତି ୧୫ ତମ ରାଷ୍ଟ୍ରପତି । ସଂସଦର ସେଣ୍ଟ୍ରାଲ ହଲରେ ମାନ୍ୟଗଣ୍ୟ ବକ୍ତିତ୍ୱଙ୍କ ଗହଣରେ ଶପଥ ଗ୍ରହଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶ ଆଜି ପାଇଛି ପ୍ରଥମ ଆଦିବାସୀ ଓ ସର୍ବକନିଷ୍ଠ ରାଷ୍ଟ୍ରପତି ।

ଜୁନ୍ ୨୦ ତାରିଖରେ ୬୪ତମ ଜନ୍ମଦିନ ପାଳନ କରିଥିଲେ ଦ୍ରୌପଦୀ ମୁର୍ମୁ । ହେଲେ ତାଙ୍କୁ ଜଣାନଥିଲା ତାଙ୍କୁ ଅପେକ୍ଷା କରିଛି ଏପରି ଏକ ଉପହାର ଯାହା ତାଙ୍କୁ ଦେଶର ଏକ ସର୍ବୋଚ୍ଚ ପଦରେ ଆସୀନ କରାଇବ । ତା’ପରଦିନ ଅର୍ଥାତ ଜୁନ୍ ୨୧ ତାରିଖରୁ ଦ୍ରୌପଦୀଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତାଙ୍କୁ ଜିତାଇବାକୁ ଦଳ ସବୁ ରାଜନୈତିକ ଦଳଙ୍କୁ ଅପିଲ ହୋଇଥିଲା । ଆଜି ଏହି ଚେଷ୍ଟା ସଫଳ ହୋଇଛି । ଦେଶର ରାଷ୍ଟ୍ରପତି ହୋଇଛନ୍ତି ଦୌପଦୀ ମୁର୍ମୁ ।

ସେ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ସେ ସର୍ବ କନିଷ୍ଠ ରାଷ୍ଟ୍ରପତି । ଆଜି ତାଙ୍କୁ ୬୪ ବର୍ଷ ୧ ମାସ ୮ ଦିନ ହୋଇଛି । ପୂର୍ବରୁ ଏହି ରେକର୍ଡ ନୀଲମ ସଞ୍ଜୀବ ରେଡ୍ଡିଙ୍କ ନାଁରେ ଥିଲା । ରାଷ୍ଟ୍ରପତି ହେବା ବେଳକୁ ତାଙ୍କୁ ୬୪ ବର୍ଷ ୨ ମାସ ୬ ଦିନ ହୋଇଥିଲା ।

ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନକୁ ବାଦ ଦେଲେ ବୃତ୍ତିଗତ ଜୀବନ ତଥା ରାଜନୈତିକ ଜୀବନ ବେଶ୍ ରୋଚକ । ୧୯୯୪ ରାୟରଙ୍ଗପୁରର ଶ୍ରୀ ଅରବିନ୍ଦ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ସେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଭାବେ ବିଭିନ୍ନ ବିଷୟରେ ତାଙ୍କର ଶିକ୍ଷା ଦକ୍ଷତା ଥିଲା ।

ସ୍ୱାମୀ ଓ ଦୁଇ ପୁଅଙ୍କ ଦେହାନ୍ତ ପରେ …

ଦ୍ରୌପଦୀ ମୁର୍ମୁଙ୍କ ବିବାହ ଶ୍ୟାମଚରଣ ମୁର୍ମୁଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଜଣେ ଝିଅର ମା’ ହୋଇଥିଲେ । ହେଲେ ଭାଗ୍ୟର ବିଡମ୍ବନା ବିବାହର କିଛି ବର୍ଷ ପରେ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଥିଲା । ପରେ ପରେ ଦୁଇ ପୁଅଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ତଥାପି ଅସୀମ ଧୈର୍ଯ୍ୟ ସହକାରେ ଜୀବନ ପଥରେ ଆଗକୁ ବଢିଥିଲେ । ସ୍ୱାମୀ ଓ ଦୁଇ ପୁଅଙ୍କ ମୃତ୍ୟୁ ପରେ ନିଜ ଘରକୁ ଏକ ବିଦ୍ୟାଳୟରେ ପରିଣତ କରିଦେଇଥିଲେ ଦୌପଦୀ ମୁର୍ମୁ । ଆଜି ବି ସେଠାରେ ଏକ ବଡ ବୋର୍ଡିଙ୍ଗ ସ୍କୁଲ ଚାଲିଛି ।