‘ମେରା ଭାରତ ମହାନ୍’ । ୬ ବର୍ଷ ପରେ ପାକିସ୍ତାନ ଜେଲରୁ ପୁଅ ଫେରିବା ପରେ ଏମିତି କିଛି କହିଲେ ହମିଦ ଅନସାରୀଙ୍କ ମା’ ।

251

କନକ ବ୍ୟୁରୋ : ପ୍ରେମ ପାଇଁ ପାକିସ୍ତାନରେ ବନ୍ଦୀ ଭାବେ ଜୀବନ ବିତାଇଥିବା ଯୁବକ ହମିଦ ଅନସାରି ଫେରିଛନ୍ତି ଭାରତକୁ । ଦୀର୍ଘ ୬ ବର୍ଷ ତଳେ ଅନଲାଇନରେ ପରିଚୟ ହୋଇଥିବା ବାନ୍ଧବୀକୁ ଭେଟିବା ପାଇଁ ସୀମା ଆରପାରିକୁ ଚାଲିଯାଇଥିଲେ । ଅବଶ୍ୟ ତାଙ୍କର ଭୁଲ ଥିଲା ସେ ସାଙ୍ଗରେ ନେଇଥିଲେ ଏକ ନକଲି ପରିଚୟ ପତ୍ର । ଏଥିପାଇଁ ତାଙ୍କୁ ପାକ୍ ସାମରିକ କୋର୍ଟ ୩ ବର୍ଷ ଜେଲଦଣ୍ଡ ଦେବା ପରେ ଗତ ୧୫ ତାରିଖରେ ମୁକ୍ତି ଦେଇଛି । ଆଉ ଭାରତ ମାଟିକୁ ଫେରିଆସିଛନ୍ତି ଅନସାରୀ ।

ପ୍ରେମ ମାନେ ନାହିଁ ସୀମା ସରହଦ । ଅଟକାଇ ପାରେନି କୌଣସି ବାଧାବିଘ୍ନ । ଚର୍ଚ୍ଚିତ ବଲିଉଡ ଫିଲ୍ମ ‘ବୀରଜରା’ ଠିକ୍ ଏମିତି ଏକ କାହାଣୀକୁ ନେଇ ନିର୍ମାଣ ହୋଇଥିଲା । ଯେଉଁଥିରେ ଜଣେ ପାକିସ୍ତାନୀ ଝିଅର ପ୍ରେମରେ ପଡ଼ି ଯାଇଥିଲେ ଜଣେ ଭାରତୀୟ ଯୁବକ । ଆଉ ପ୍ରେମିକାକୁ ଭେଟିବା ପାଇଁ ପାକିସ୍ତାନ ଯାଇ ଦୀର୍ଘ ୨୦ ବର୍ଷ ଧରି ଜେଲରେ କାଟିଥିଲେ ।

ଠିକ୍ ବୀରଜରା ଫିଲ୍ମର କାହାଣୀ ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୬ ବର୍ଷ ଧରି ପାକିସ୍ତାନ ଜେଲରେ ରହିବା ପରେ ଘରକୁ ଫେରିଛନ୍ତି ଭାରତୀୟ ନାଗରିକ ହମିଦ୍ ଅନସାରୀ । ୨୦୧୨ରେ କାବୁଲରେ ଚାକିରି କରୁଥିବା ବେଳେ ପାକିସ୍ତାନର ଜଣେ ମହିଳାଙ୍କ ସହ ତାଙ୍କର ବନ୍ଧୁତା ଗଢି ଉଠିଥିଲା । ବନ୍ଧୁତାରୁ ପ୍ରେମ ଏବଂ ପ୍ରେମରୁ ବିବାହ ନିଷ୍ପତି । ଏପଟେ ମହିଳାଙ୍କୁ ତାଙ୍କ ପରିବାର ଲୋକ ଜୋରଜବରଦସ୍ତ ଅନ୍ୟ ଜାଗାରେ ବିବାହ କରିବାକୁ ନିଷ୍ପତି ନେଇଥିଲେ । ଏହା ଜାଣିବା ପରେ ପାକିସ୍ତାନକୁ ଯିବାକୁ ବାହାରିଥିଲେ ଅନସାରୀ । କିନ୍ତୁ ପାକିସ୍ତାନରୁ ଆଉ ମୁକୁଳି ପାରିଲେନି ।


ପାକିସ୍ତାନରୁ ଭାରତକୁ ଫେରିବାପରେ ପରିବାର ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି ଅନସାରୀ । ତେବେ ଏହି ସାକ୍ଷାତ ଥିଲା ବେଶ୍ ଭାବାବେଗପୂର୍ଣ୍ଣ । ସମସ୍ତଙ୍କ ଆଖିରେ ଜକେଇ ଆସୁଥିଲା ଖୁସିର ଲୁହ । ବେଶ୍ ଗମ୍ଭୀର ହୋଇ ଉଠିଥିଲା ପରିବେଶ । ସୁଷମା ସ୍ୱରାଜଙ୍କୁ କୁଣ୍ଢେଇ ପକାଇଥିଲେ ଅନସାରୀଙ୍କ ମାଆ । ଆଉ ଏହି ସମୟରେ କହିଥିଲେ ମେରା ଭାରତ ମହାନ । ପାକିସ୍ତାନ ସାମରିକ କୋର୍ଟ ଅନସାରୀଙ୍କୁ ୨୦୧୫ ମସିହାରେ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।ଗତ ୧୫ ତାରିଖରେ ହମିଦ ଅନସାରୀଙ୍କ ଜେଲ ଦଣ୍ଡ ମିଆଦ ପୁରିବା ପରେ ସେ ଜନ୍ମମାଟିକୁ ଫେରି ପାରିଛନ୍ତି ।