କୁନୋ ଜାତୀୟ ଉଦ୍ୟାନରେ ଆଖିବୁଜିଲା ଆଉ ଏକ ଚିତା । ଏଯାଏଁ ଗଲାଣି ୩ ଚିତାଙ୍କ ଜୀବନ

312

କନକ ବ୍ୟୁରୋ : ଭାରତରେ ଚିତାବାଘ ବିଲୁପ୍ତ ହୋଇଯାଇଥିଲେ । ‌ତେଣୁ ଭାରତରେ ଏମାନଙ୍କ ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା । ତେବେ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି । ପରସ୍ପର ସହ ସଂଘର୍ଷରେ ଚିତାଟିର ମୃତ୍ୟୁ ହୋଇଯାଇଛି । ଉଲ୍ଲେଖ ଥାଉ କି, ପୂର୍ବରୁ ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିବା ଦୁଇଟି ଚିତାଙ୍କର ମୃତ୍ୟୁ ହୋଇଯାଇଥିଲା, ଆଉ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି ।

ଗତମାସରେ ୬ବର୍ଷର ଚିତା ‘ଉଦୟ’ ମଧ୍ୟ ପ୍ରାଣ ହରାଇଥିଲା । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଏହି ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ଶଶାର ମୃତ୍ୟୁ ଘଟିଥିଲା । ତେବେ କୁନୋ ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ କହିଛନ୍ତି ଯେ ଜୁନ୍ ମାସରେ ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ଚିତାମାନଙ୍କୁ ଜଙ୍ଗଲରେ ଛଡ଼ାଯିବ । କୁନୋ ଜାତୀୟ ଉଦ୍ୟାନର ସୂତ୍ରରୁ ପ୍ରକାଶ ଯେ ଜୁନ୍ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରୁ ଆଣିଥିବା ଚିତାକୁ ସୁରକ୍ଷିତ ଏନକ୍ଲୋଜରରୁ ବାହାର କରି ଜଙ୍ଗଲରେ ଛାଡିବା ପାଇଁ ପାଇଁ ପ୍ରସ୍ତୁତି ଚାଲିଛି ।

ପୂର୍ବରୁ ଦୁଇଟି ଚିତାଙ୍କ ମୃତ୍ୟୁକୁ ନେଇ ଦକ୍ଷିଣ ଆଫ୍ରିକା ପକ୍ଷରୁ କୁହାଯାଇଥିଲା ଯେ ଚିତା ବାଘ ସ୍ଥାନାନ୍ତର ଏକ ଅତ୍ୟନ୍ତ ଜଟିଳ ବ୍ୟାପାର। ଏଥିରେ ବାଘଙ୍କ ଜୀବନ ପ୍ରତି ବିପଦ ରହିଥାଏ। କାରଣ ବଡ଼ ମାଂସାସୀ ଜନ୍ତୁଙ୍କ ପୁନଃଥଇଥାନ ଅତ୍ୟନ୍ତ ଜଟିଳ ଏବଂ ବିପଜ୍ଜନକ ବ୍ୟାପାର। ଏହି ପ୍ରକଳ୍ପର ଏହା ହେଉଛି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। କାରଣ ଚିତାଙ୍କୁ ବୃହତ୍ତର ଅରଣ୍ୟାଞ୍ଚଳରେ ଛଡ଼ା ଯାଇଥିବାରୁ ସେମାନଙ୍କର ଦୈନନ୍ଦିନ ସ୍ବାସ୍ଥ୍ୟାବସ୍ଥା ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ନୁହେଁ। ତେଣୁ, ଚିତା ଆହତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ।