ବର୍ଷା ପୂର୍ବରୁ ଅଜଣା ରୋଗର ଭୟ । ସପ୍ତାହରେ ଗଲାଣି ୩ ଶିଶୁଙ୍କ ଜୀବନ । ୪ରୁ ୧୨ ବର୍ଷ ବୟସର ଶିଶୁ ହେଉଛନ୍ତି ଆକ୍ରାନ୍ତ । ଜାଣନ୍ତୁ ଏହାର ଲକ୍ଷଣ…

312

କନକ ବ୍ୟୁରୋ: ବର୍ଷା ଦିନ ପୂର୍ବରୁ ଅଜଣା ରୋଗର ଭୟ । ସପ୍ତାହ ମଧ୍ୟରେ ୩ ଜଣ ଶିଶୁଙ୍କ ମୃତ୍ୟୁ ସହ ଅନେକ ଆକ୍ରାନ୍ତ ହେବା ପରେ ବର୍ତମାନ ଗାଁରେ କୋକୂଆ ଭୟ ଖେଳିଯାଇଛି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ଡଙ୍ଗାସିଲ ପଚାଂୟତ ଅନ୍ତର୍ଗତ ମୁନୁଷପଦର ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଜଣା ରୋଗ । ହଠାତ୍ ତଟିଂରେ ଦରଜ ହବା ସହ ତଟିଂ ଫୁଲିଯାଉଛି ଏବଂ ସାମାନ୍ୟ ଜ୍ୱର ହବା ସହ ତଟିଂରେ ଝିଲି ଭଳି ଜମାଟ ଦେଖିବାକୁ ମିଳୁଛି । ଯାହାଦ୍ୱାରା ରୋଗୀଙ୍କ ମୃତ୍ୟୁ ଘଟୁଥିବାର ଦେଖିବାକୁ ମିଳିଛି ।

ଗତ ଏକ ସପ୍ତାହ ମଧ୍ୟରେ ଗାଁର ଶିବ ମାଝୀଙ୍କ ୧୦ ବର୍ଷିୟ ଝିଅ ପୂର୍ଣ୍ଣି ମାଝୀ , ସିନ୍ଦୁର ମାଝୀଙ୍କ ୪ ବର୍ଷିୟ ପୁଅ ନରେନ୍ଦ୍ର ମାଝୀ , ଡମ୍ବୁ ମାଝୀଙ୍କ ୧୦ ବର୍ଷିୟ ପୁଅ ଦାସ ମାଝିର ମୃତ୍ୟୁ ହୋଇଛି । ସେହିପରି ଆଉ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ସେମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯାଇଛି । ବିଶେଷ କରି ୪ରୁ ୧୨ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ଏହି ରୋଗ ଦେଖାଦେଉଥିବାର ଦେଖିବାକୁ ମିଳିଛି । ବର୍ତମାନ ଏହି ଗାଁରେ ଭବାନିପାଟଣାରୁ ଆସିଥିବା ଡବ୍ଲ୍ୟୁ.ଏଚ୍.ଓର ଏକ ଟିମ ସହ ସ୍ଥାନିୟ ଏକ ଡାକ୍ତରି ଦଳ ଉକ୍ତ ଗାଁକୁ ଯାଇ ରକ୍ତ ନମୂନା ସଂଗ୍ରହ କରି ଭୂବନେଶ୍ୱର ପଠାଇଛନ୍ତି । ଏହିନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି, ଖୁବ ଶୀଘ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ଏକ ଦଳ ଆସିବାର ଅଛି । ତେବେ ରୋଗର କାରଣ ବର୍ତମାନ ଜଣାପଡିନଥିବା ବେଳେ ରକ୍ତ ନମୂନା ପରିକ୍ଷା ରିପୋର୍ଟ ଆସିଲା ପରେ ରୋଗର କାରଣ ଜଣାପଡିବ ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।