ପର୍ଯ୍ୟଟନ ଋତୁରେ ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବାଲେଶ୍ୱର ବାଲିଆପାଳ ଡଗରା ସମୂଦ୍ର କୂଳରେ ଦର୍ଶକଙ୍କ ମନ ମୋହୁଛନ୍ତି ନାଲି କଙ୍କଡା

237

କନକ ବ୍ୟୁରୋ: ଓଡ଼ିଶାରେ ଅନେକ ପର୍ଯ୍ୟଟନସ୍ତଳୀ ରହିଛି । ଯେଉଁଠିକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟେ । ବାଲେଶ୍ୱର ଜିଲ୍ଲାରେ ଥିବା ଡ଼ଗରା ବେଳାଭୂମି ସେମିତି ଏକ ପର୍ଯ୍ୟଟନସ୍ଥଳୀ । ଯେଉଁଠି ବର୍ଷ ସାରା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଗହଳି ଲାଗେ । ହେଲେ ବେଳାଭୂମିରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।

ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ପର୍ଯ୍ୟଟକ । ସମୁଦ୍ର କୂଳ ଝାଉଁବଣରେ ଭୋଜି, ତାସାଙ୍ଗକୁ ଏହି ଖୁସିର ମୂହୁର୍ତ୍ତକୁ ଫୋନରେ ସାଇତି ରଖିବାକୁ ପର୍ଯ୍ୟଟକଙ୍କ ସେଲଫି ନିଶା । ବାଲେଶ୍ୱର ଜିଲ୍ଲାର ବାଲିଆପାଳ ମାଟିକୁ ପ୍ରକୃତିରାଣୀ ଦେଇଛି ଏହି ଅପୂର୍ବ ସୌନ୍ଦର୍ଯ୍ୟ । ବାଲିଆପାଳ ଡ଼ଗରା ବେଳାଭୂମିର ଆକର୍ଷଣ ନିଆରା । ବେଳାଭୂମିର ବାଲୁକାରାଶିରେ ବୁଲୁଥିବା ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ ଦେଖିବାକୁ ବର୍ଷ ତମାମ ଏଠି ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟେ । ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବେଶ ଆକର୍ଷଣ କରେ । ହେଲେ ବେଳାଭୂମିର ବିକାଶ ଦିଗରେ ସରକାରୀ ସ୍ତରରେ ପ୍ରୟାସ କରାଯାଉ ନାହିଁ । ଯାହା ପାଇଁ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । ୨୦୧୬ରେ ମୁଖ୍ୟମନ୍ତ୍ରୀ ଡଗରା ବେଳାଭୂମିରେ ୧ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟୁରିଷ୍ଟ କରିଡ଼ର ଓ ପାନ୍ଥ ନିବାସର ଶିଳାନ୍ୟାସ କରିଥିଲେ । ଏହାରି ଭିତରେ ୪ବର୍ଷ ବିତିଲାଣି ହେଲେ କାମ ଆରମ୍ଭ ହୋଇନି । ଓଡ଼ିଶାର ଅନ୍ୟ ସମସ୍ତ ବେଳାଭୂମି ଭଳି ଏଠାକାର ବିକାଶ ଏବଂ ଉନ୍ନତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଗଲେ ଏଠାକୁ ଅଧିକ ପର୍ଯ୍ୟଟକଙ୍କ ସୁଅ ଛୁଟିବାର ଆଶା ଅଛି ।