ଆସନ୍ତାକାଲି ରଥଯାତ୍ରା : ଆଜି ମହାପ୍ରଭୁଙ୍କ ନବଯୌବନ ବେଶ; ସକାଳ ୮ଟାରୁ ଦର୍ଶନ ଆରମ୍ଭ, ଶ୍ରୀକ୍ଷେତ୍ରରେ ଜମିଲାଣି ଭକ୍ତଙ୍କ ଭିଡ

177

କନକ ବ୍ୟୁରୋ : ଆସନ୍ତାକାଲି ରଥଯାତ୍ରା । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ସକାଳ ୮ଟାରୁ ଆରମ୍ଭ ହେବ ଦର୍ଶନ । ୮ଟାରୁ ୯ଟା ଯାଏଁ ପାରମାଣିକ ଟିକେଟଧାରୀ ଦର୍ଶନ କରିବେ । ଏଥର ପାରମାଣିକ ଦର୍ଶନ ପାଇଁ ଟିକେଟର ଦାମ୍ ୧୦୦ ଟଙ୍କା ରଖାଯାଇଛି । ସେହିପରି ୯ଟାରୁ ୧୧ଟା ୨ ଘଣ୍ଟା ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ସାଧାରଣ ଭକ୍ତମାନେ ସିଂହଦ୍ୱାର ଦେଇ ଯାଇ ଦର୍ଶନ କରିପାରିବେ । ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଥାନ୍ତି ।

ଏହି ସମୟ ମଧ୍ୟରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୁଅନ୍ତି । ତେବେ ସୁସ୍ଥ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହାକୁ ନବଯୌବନ ଦର୍ଶନ ବୋଲି କୁହାଯାଏ । ଶ୍ରୀଜିଉଙ୍କୁ ଏହି ସମୟରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପ୍ରତିବର୍ଷ ନବଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଇନଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ ।