କ୍ରାଇମ କ୍ୟାପିଟାଲ ପାଲଟିଛି ରାଜଧାନୀ ଦିଲ୍ଲୀ । ଦିବା ଆଲୋକରେ ବନ୍ଧୁକ ମୁନରେ ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁବୁର୍ତ ।

123

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । କାରକୁ ଘେରି ୪ଜଣ ଦୁବୁର୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଲୁଟ ସମୟର ଘଟଣା ସିସିଟିଭିରେ କଏଦ ହୋଇଛି । ସେପଟେ କିଛି ସୁରାକ ଆଧାରରେ ଛାନଭିନ ଜାରି ରଖିଛି ଦିଲ୍ଲୀ ପୁଲିସ । ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି

  • ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ଦିଲ୍ଲୀ
  • ବନ୍ଧୁକ ମୁନରେ ଧମକ ପରେ ଲୁଟ୍
  • ସିସିଟିଭିରେ କଏଦ ଲୁଟ ଘଟଣା

ସ୍ଥାନ ଦିଲ୍ଲୀ ପ୍ରଗତି ମଇଦାନ । ସମୟ ଦିନ ଦ୍ୱିପହର ସମୟ । ଅଣ୍ଡରପାସ ଦେଇ ଗଡୁଥାଏ କାଁ ଭାଁ ଯାନବାହନ । ହଠାତ ଗୋଟିଏ କାରକୁ ପିଛା କରି ପହଞ୍ଚେ ଦୁଇଟି ବାଇକ ଆଉ ରାସ୍ତାର ଅପରପାଶ୍ୱର୍ରେ ଛିଡା ହୁଏ ଆଉ ଏକ ବାଇକ । କେହି କିଛି ବୁଝିବା ଆଗରୁ ଦୁବୁର୍ତ କାର ନିକଟକୁ ଆସନ୍ତି ଓ କାର ଖୋଲି ବନ୍ଧୁକ ମୁନରେ ଲୁଟି ନିଅନ୍ତି । ୩ଜଣ ବାଇକରେ ୬ଜଣ ଦୁବୁର୍ତ ଲୁଟପାତ କରି ଆଖି ପିଛୁଳାକେ ଫେରାର ହୋଇଯାଆନ୍ତି ।

ପାଖରେ କିଛି ଲୋକ ଥିଲେ ବି ସମସ୍ତେ ମୁକସାକ୍ଷୀ ସାଜିଥିଲେ । ସୂଚନା ଅନୁସାରେ ଦୁଇଜଣ ବ୍ୟକ୍ତି ପାଖାପାଖି ୨ଲକ୍ଷ ଟଙ୍କା ନେଇ ଗୁରୁଗ୍ରାମ ଯାଉଥିବାବେଳେ ଲୁଟର ଶିକାର ହୋଇଥିଲେ । ୪୮ ଘଣ୍ଟା ବିତିଯାଇଥିଲେ ଅପରାଧୀଙ୍କ ଟେରପାଉନି ପୁଲିସ । ସେପଟେ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ପୁଲିସର ଦାୟିତ୍ୱ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ହସ୍ତାନ୍ତର କରନ୍ତୁ ବୋଲି ଆପ ଦାବି କରିଛି । ସେପଟେ ଟୁଇଟ କରି ଦଳ ଉପରାଜ୍ୟପାଳ ବିନୟ ସକସେନାଙ୍କ ଇସ୍ତଫା ଦାବି କରିଛି ।

ବେଶ କିଛି ଦିନ ହେବ ରାଜଧାନୀ ଦିଲ୍ଲୀ ଅପରାଧର ପେଣ୍ଠସ୍ଥଳ ପାଲଟିଛି । ଲୁଟ, ହତ୍ୟା, ଦୁଷ୍କର୍ମ, ଅପହରଣ ପରି ଅନେକ ଲୋମଟାଙ୍କୁରା ଘଟଣା ପ୍ରତ୍ୟକ ଦିନ ଦିଲ୍ଲୀକୁ ଦୋହଲାଇ ଦେଉଛି ।