ରବର୍ଟ ଭଡ୍ରାଙ୍କୁ ଆଶ୍ୱସ୍ତି ! ମନି ଲଣ୍ଡରିଂ ମାମଲାରେ ୧୬ ଫେବୃଆରୀ ଯାଏଁ ଅଗ୍ରୀମ ଜାମିନ୍ ଦେଲେ କୋର୍ଟ । 

83
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଡ୍ରାଙ୍କୁ ଆସନ୍ତା ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିଛି । ମନି ଲଣ୍ଡରିଂ ମାମଲାରେ ଶୁଣାଣି କରି ଦିଲ୍ଲୀର ପଟିଆଲା ହାଉସ ଅଦାଲତ ଆଜି ଏହି ନିଷ୍ପତ୍ତି ନେଇଛନ୍ତି ।  ବେଆଇନ୍ ଆର୍ଥିକ କାରବାର ମାମଲାରେ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରକାର ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଅଦାଲତ । ଏଥି ଲାଗି ଅଦାଲତ ଭଡ୍ରାଙ୍କୁ ୧ ଲକ୍ଷ ଟଙ୍କାର ସିଓରିଟି ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି।  ଏଏନଆଇ ପକ୍ଷରୁ ହୋଇଥିବା ଟୁଇଟ୍ ଅନୁଯାୟୀ, ଭଡ୍ରାଙ୍କ ଓକିଲ କେଟିଏସ୍ ତୁଳସୀ କୋର୍ଟଙ୍କୁ ସୁନିଶ୍ଚିତ କରିଛନ୍ତି ଯେ ଭଦ୍ରା ଫେବୃଆରୀ ୬ରେ ହେବାକୁ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର  ତଦନ୍ତ ସମୟରେ ଉପସ୍ଥିତ ରହି ସବୁ ପ୍ରକାର ସହଯୋଗ କରିବେ।
ଇଡି ଦ୍ୱାରା ରୁଜୁ ହୋଇଥିବା ବେଆଇନ୍ ଆର୍ଥିକ କାରବାର ମାମଲାରେ ଭଡ୍ରା ଦିଲ୍ଲୀ ଅଦାଲତରେ ଶୁକ୍ରବାର ଆଗୁଆ ଜାମିନ୍ ଆବେଦନ କରିଥିଲେ। ଏ ସଂପର୍କରେ ଜଣେ ଓକିଲ ସ୍ପଷ୍ଟ କରିଛନ୍ତି ଯେ ଭଡ୍ରାଙ୍କ ସହଯୋଗୀ ମନୋଜ ଅରୋରାଙ୍କୁ ଯେଉଁ ମାମଲାରେ ଫେବୃଆରୀ ୬ ପର୍ଯ୍ୟନ୍ତ ଗିରଫଦାରିରୁ ଆଶ୍ବସ୍ତି ମିଳିଥିଲା ସେହି ମାମଲାରେ ଭଡ୍ରା ଅଗ୍ରୀମ ଜାମିନ୍ ଆବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ, ଲଣ୍ଡନଠାରେ ଥିବା ୧.୯ ମିଲିୟନ୍ ପାଉଣ୍ଡର ସମ୍ପତ୍ତି କିଣିବା ପରେ ଭଦ୍ରାଙ୍କ ବିରୋଧରେ ବେଆଇନ୍ ଆର୍ଥିକ କାରବାର ମାମଲା ରୁଜୁ ହୋଇଛି।