ଗୋଟିଏ ମାସର ଦରମା ସହ ୧୦ ଲକ୍ଷର ଲକି ଡ୍ର : ଏହି ସର୍ତ୍ତ ସହ କର୍ମଚାରୀଙ୍କୁ କମ୍ପାନୀ ଦେଲା ଫିଟନେସ୍ ଚ୍ୟାଲେଞ୍ଜ ।

215

କନକ ବ୍ୟୁରୋ: ଫିଟ୍ ରୁହ ଅଧିକ ଗୋଟେ ମାସର ଦରମା ନିଅ । ତା’ ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ପାଇବାର ସୁଯୋଗ ନିଅ । କର୍ମଚାରୀଙ୍କୁ ଏପରି ଅଫର୍ ଦେଇଛନ୍ତି କମ୍ପାନୀ ସିଇଓ । ଏହା କୌଣସି ଫାଙ୍କା କଥା ନୁହେଁ କଥାଟା ବିଲକୁଲ ସତ । ନିଜ କର୍ମଚାରୀଙ୍କ ପାଇଁ ଏପରି ଘୋଷଣା କରିଛନ୍ତି ଅନଲାଇନ୍ ବ୍ରୋକିଙ୍ଗ ଫର୍ମ ଜେରୋଧା କମ୍ପାନୀର ସିଇଓ ।

କଥା ହେଉଛି କରୋନାଠାରୁ ଏବେଯାଏଁ ଅଧିକାଂଶ ଲୋକେ ୱାର୍କ ଫ୍ରମ୍ ହୋମ୍ ଭାବେ କାମ କରୁଛନ୍ତି । ଫଳରେ କର୍ମଚାରୀଙ୍କ ଠାରେ କିଛି କୁଅଭ୍ୟାସ ବଢିିଛି । ଗୋଟିଏ ସ୍ଥାନରେ ବସି ବସିି କାମ କରିବା ଦ୍ୱାରା ସେମାନଙ୍କଠାରେ ମେଦବହୁଳ ସମସ୍ୟା ଦେଖାଯିବା ସହ ସିଗାରେଟ୍ ଟାଣିବା ପରି ଅଭ୍ୟାସ ମଧ୍ୟ ବଢିଛି । ଏସବୁ କୁଅଭ୍ୟାସରୁ କର୍ମଚାରୀଙ୍କୁ ମୁକ୍ତ ରଖିବା ସହ ସେମାନଙ୍କ ଫିଜିକାଲ ଫିଟନେସ୍ ପାଇଁ କମ୍ପାନୀ ସିଇଓ ନେଇଛନ୍ତି ଏହି ପଦକ୍ଷେପ ।

ସର୍ତ୍ତ ଅନୁସାରେ କର୍ମଚାରୀଙ୍କ ଦୈନିକ ବର୍ଷସାରା ଫିଟନେସ୍ ଚ୍ୟାଲେଞ୍ଜ ଦିଆଯିବ । ଏହି ସର୍ତ୍ତ ଅନୁସାରେ ସେମାନେ ନିୟମିତ ବ୍ୟାୟାମ କରି ନିଜ ଶରୀରର ଓଜନକୁ ସନ୍ତୁଳିତ ରଖିବା ସହ ଠିକ୍ ଖାଦ୍ୟ ଗ୍ରହଣ କରିବେ । ଏହାସହ ଆଦୌ ସିଗାରେଟ୍ ଟାଣିବେ ନାହିଁ  । ଯଦି କୌଣସି କର୍ମଚାରୀ ଏହି ଫିଟନେସ୍ ଚ୍ୟାଲେଞ୍ଜର ୯୦ ପ୍ରତିଶତ ମାନିଥାନ୍ତି ତେବେ ତାଙ୍କୁ ଅଧିକ ଗୋଟେ ମାସର ଦରମା ଦିଆଯିବ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଲକି ଡ୍ର ଅଫର ଆଧାରରେ ୧୦ ଲକ୍ଷ ଟଙ୍କା ମିଳିବ ।