ଚାଇନା ବାଣ ଫୁଟାଇଲେ କିମ୍ବା ବିକ୍ରି କଲେ ମିଳିବ ଦଣ୍ଡ ! ଦୀପାବଳିରେ ଚାଇନା ବାଣ ପରିବର୍ତ୍ତେ ସବୁଜ ବାଣର ବ୍ୟବହାର କରିବାକୁ ପରାମର୍ଶ ଦେଲେ ସରକାର ।  

523

ଦୀପାବଳି ପୂର୍ବରୁ ମୋଦି ସରକାର ଚାଇନା ବାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତି କରିସାରିଲେଣି । ସୋମବାର କଷ୍ଟମ୍ ବିଭାଗର ପ୍ରିନ୍ସିପାଲ୍ କମିଶନର୍ ଏଥି ସମ୍ବନ୍ଧୀୟ ନୋଟିସ୍ ଜାରି କରିଛନ୍ତି । ନୋଟିସ୍ ରେ କୁହାଯାଇଛି ଯେ ଚାଇନା ବାଣକୁ ନେଇ ପ୍ରତିବନ୍ଧ ଲଗାଯାଇଛି । ଯଦି କୌଣସି ବ୍ୟକ୍ତି ଚାଇନିଜ୍ ବାଣକୁ ପାଖରେ ରଖୁଛି , ବିକ୍ରି କରୁଛି କିମ୍ବା ଏହାର ଡିଲିଙ୍ଗ୍ କରୁଛି ତେବେ ଉକ୍ତ ବ୍ୟକ୍ତିଙ୍କୁ କଷ୍ଟମ୍ ଆକ୍ଟ୍ ୧୯୬୨ ରେ ଦଣ୍ଡିତ କରାଯିବ ।

 

ବିପଦପୂର୍ଣ୍ଣ କ୍ୟାମିକାଲ୍ ରୁ ବର୍ତ୍ତିବା ପାଇଁ ଲାଗିଲା ପ୍ରତିବନ୍ଧ : 

ନୋଟିସ୍ ରେ କୁହାଯାଇଛି ଯେ ଭାରତ ବଜାରରେ ଚାଇନିଜ୍ ବାଣର ବ୍ୟବହାର ଏବଂ ବିକ୍ରିହେବା ଏକ ଚିନ୍ତାଜନକ ବିଷୟ । ଚାଇନିଜ୍ ବାଣ ଉପରେ ପ୍ରତିବନ୍ଧ ଲାଗିବା ସତ୍ତେ୍ୱ ଏହାର ବ୍ୟବସାୟ ହେଉଛି । ତେବେ ଭାରତ ବଜାରରେ ଏହି ବାଣ ବିକ୍ରି ହେବାର ଖବର ମିଳିଲେ କଷ୍ଟମ୍ ଆକ୍ଟରେ ଦଣ୍ଡିତ କରାଯିବ । ଚାଇନିଜ୍ ବାଣର ବ୍ୟବହାର ସରକାରଙ୍କ ଏକ୍ସପଲୋଜିବ୍ ନିୟମ  ୨୦୦୮ ର ବିରୋଧ କରିବା ସହ ଏହା ସ୍ୱାସ୍ଥ୍ୟ ପ୍ରତି ମଧ୍ୟ କ୍ଷତିକାରକ । ଏଥିରେ ଲେଡ୍ , କପର୍ , ଅକ୍ସସାଇଡ୍ ଏବଂ ଲିଥିୟମ୍ ଭଳି କ୍ୟାମିକାଲ୍ ର ବ୍ୟବହାର କରାଯାଏ । ଏହି କ୍ଷତିକାରକ କ୍ୟାମିକାଲ୍ ସ୍ୱାସ୍ଥ୍ୟ ପ୍ରତି ଏବଂ ପରିବେଶ ପ୍ରତି ଖୁବ୍ ହାନିକାରକ । ଏଭଳି ସ୍ଥିତିରେ ଗ୍ରାହକଙ୍କୁ ବାଣର ସବିଶେଷ ଲେବଲିଙ୍ଗ୍ କୁ ଦେଖି କିଣିବାକୁ ପରାମର୍ଶ ଦିଆଯାଉଛି ।

ସରକାର ଜାରି କଲେ ସବୁଜ ବାଣ :

ଚଳିତବର୍ଷ କେନ୍ଦ୍ର ସରକାର ସବୁଜ ବାଣ (ଗ୍ରୀନ୍ କ୍ରାକର୍) ଜାରି କରିଛନ୍ତି । ଏଥିରେ ଅନାର , ଚକ୍ରି ,ପେନସିଲ୍ ,ସୁରସୁୁରିଆ ଏବଂ ସୁତୁଲି ବାଣ ରହିଛି । ସରକାରଙ୍କ କହିବାନୁସାର , ଅନ୍ୟ ବାଣ ଅପେକ୍ଷା ସବୁଜ ବାଣରେ ପ୍ରଦୂଷଣ ୩୦ ପ୍ରତିଶତ ରୋକାଯାଇପାରିବ ।