ମହାନଦୀର ମହାବିବାଦକୁ ବାଏଁ ବାଏଁ ଉଡାଇ ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ! କହିଲେ, ମହାନଦୀ ନେଇ ନାହିଁ କୌଣସି ବିବାଦ

89

କନକ ବ୍ୟୁରୋ : ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ବିବାଦ ଘନଉଥିବା ବେଳେ ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ମହାନଦୀକୁ ନେଇ କୌଣସି ବିବାଦ ନାହିଁ । ଆଜି ନୂଆପଡାର ଏକ ଗୁରୁକୁଳ ଆଶ୍ରମର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । ଆଉ ମହାନଦୀ ପ୍ରସଙ୍ଗରେ ଯେତେବେଳେ ଗଣମାଧ୍ୟମ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲା , ରମଣ ସିଂ କହିଥିଲେ ମହାନଦୀକୁ ନେଇ କିଛି ବି ବିବାଦ ନାହିଁ ।

ମହାନଦୀର ମହାବିବାଦକୁ ବାଏଁ ବାଏଁ ଉଡାଇଦେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । କହିଛନ୍ତି, କିଛି ବି ବିବାଦ ନାହିଁ। ଅର୍ଥାତ୍ ବର୍ଷେ ହେଲା ଓଡିଶା ଓ ଛତିଶଗଡ, ଯାହାକୁ ନେଇ ବଳ କଷାକଷି ହେଉଛନ୍ତି ତାହା ମୂଲ୍ୟହୀନ । ଛତିଶଗଡ ପାଇଁ ମହାନଦୀ ବିବାଦ କିଛି ବି ମାନେ ରଖୁନି ।ମହାନଦୀ ଉପରମୁଣ୍ଡରେ ପ୍ରାୟ ୨୭ଟି ଛୋଟ-ବଡ ବନ୍ଧ ତିଆରି କରି ପାଣି ଅଟକାଇଦେଉଛି ଛତିଶଗଡ । ଫଳରେ ହୀରାକୁଦ ଏବଂ ଏହାର ତଳମୁଣ୍ଡରେ ମହାନଦୀରେ ଜଳ ସଙ୍କଟ ଦେଖାଦେଇଛି । ଏପରିକି ଏଭଳି ସ୍ଥିତି ଲାଗି ରହିଲେ ଖୁବ କମ ଦିନ ଭିତରେ ମହାନଦୀ ଶୁଖିଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କିନ୍ତୁ ଏହାକୁ ପରବାଏ କରିନାହାନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ରିପୋର୍ଟ ଅନୁଯାୟୀ, ଅଣ ମୌସୁମୀ ଋତୁରେ ମହାନଦୀକୁ କମିଛି ଜଳପ୍ରବାହ । ଗତ ୪ ବର୍ଷର ଲଗାତାର ଭାବେ ମହାନଦୀକୁ ଜଳପ୍ରବାହ କମିବାରେ ଲାଗିଛି । ୨୦୧୩ ଅଣମୌସୁମୀ ସମୟରେ ୧.୪୫୦ ମିଲିଅନ୍ ଏକର ଫିଟ୍, ୨୦୧୪ରେ ୧.୩୫୫ ମିଲିଅନ୍ ଏକର ଫିଟ୍, ୨୦୧୫ରେ ୯୦୭ ମିଲିଅନ୍ ଏକର ଫିଟ୍ ଏବଂ ୨୦୧୬ରେ ୭୦୧ ମିଲିଅନ୍ ଏକର ଫିଟ୍ ପାଣି ହୀରାକୁଦକୁ ପ୍ରବେଶ କରିଛି । ଏହି ସଂଖ୍ୟା କହୁଛି, ଅଣମୌସୁମୀ ଋତୁ ଅର୍ଥାତ୍ ନଭେମ୍ବର ୧ରୁ ମେ ୩୧ ମଧ୍ୟରେ ପ୍ରତିବର୍ଷ ଲଗାତର କମିଚାଲିଛି ଜଳପ୍ରବାହ ।

ଏହାକୁ ନେଇ ଦୁଇ ରାଜ୍ୟର ମଧ୍ୟରେ ଆରମ୍ଭ ହୋଇଥିବା ମହାନଦୀ ଜଳ ବିବାଦ ମାମଲା ବର୍ତମାନ ସୁପ୍ରିମକୋର୍ଟରେ । ଟ୍ରିବୁନାଲ ଗଠନ କରି ବିବାଦର ସମାଧାନ କରିବାକୁ କହୁଛନ୍ତି ଓଡିଶା ସରକାର । ହେଲେ ଛତିଶଗଡ ଏବଂ କେନ୍ଦ୍ର ସରକାର ଏଥିରେ ସହମତ ହେଉନାହାଁନ୍ତି । ଏଭଳି ସ୍ଥିତିରେ ଛତିଶଗଡ ମୁଖ୍ୟମନ୍ତ୍ରୀ କହୁଛନ୍ତି ମହାନଦୀକୁ ନେଇ କିଛି ବି ବିବାଦ ନାହିଁ ।