‘ହକ୍ ପାଇଁ ଲଢ଼େଇ’ ! ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପି ବିଜେଡିର ୫ଂଘଂଟିଆ ହରତାଳ, ସେପଟେ ଚାଷୀ ସମସ୍ୟାର ସମାଧାନ ଦାବିରେ ବିଜେପିର ରାଜଭବନ ସମ୍ମୁଖରେ ବିକ୍ଷୋଭ

32

କନକ ବ୍ୟୁରୋ: ତୈଳ ଦର ପ୍ରତିବାଦରେ ଆଜି ହରତାଳ କରିବ ବିଜେଡି । ଆଜିଠାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ସ୍ତରରେ ଏହି ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବ । ୭ଟାରୁ ୧୨ଟା ଯାଏଁ ୫ ଘଂଟା ଧରି ରାଜ୍ୟରେ ଅଖଚକ ବନ୍ଦ କରାଯିବା ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏହି ହରତାଳରୁ ବାଦ୍ ଦିଆଯାଇଛି । ବିଜେଡି ଏହି ହରତାଳକୁ ‘ହକ୍ ପାଇଁ ଲଢ଼େଇ’ ନାଁରେ ନାମିତ କରିଛି । ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅସ୍ୱାଭାବିକ ଭାବରେ ବୃଦ୍ଧି ପାଉଥିବା ଦର୍ଶାଇ ଏହି ହରତାଳ କରିବ ।

ଅନ୍ୟପଟେ ଆଜି ବିଜେପି ଚାଷୀ ସମସ୍ୟାର ସମାଧାନ ଦାବିରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ । ଋଣମୁକ୍ତ ଚାଷୀ ଏବଂ ସୁଧ ମୁକ୍ତ ଋଣ ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହେବ । ଯାହା ରାଜ୍ୟପାଳଙ୍କୁ ଦିଆଯିବ ।

ସୂଚନା ମୁତାବକ, ରବିବାର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଉପ-ସଭାପତି ଉଷା ଦେବୀ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ବିଜୁ ମହିଳା ଜନତା ଦଳ ଉପ-ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଘୋଷଣା କରିଥିଲେ ଯେ, ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ଅର୍ଥାତ୍ ସୋମବାର ବିଜେଡି ରାଜ୍ୟବ୍ୟାପୀ ୫ ଘଣ୍ଟିଆ ହରତାଳ କରିବ । ସକାଳ ୭ଟାରୁ ୧୨ଟା ଯାଏ ରାଜ୍ୟରେ ଚକ ଅଖ ବନ୍ଦ କରାଯିବ ବୋଲି ସୂଚନା ଦେଇଥିଲେ ଯାହାକି ଆଜି ଆରମ୍ଭ ହୋଇଯାଇଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏହି ହରତାଳରୁ ବାଦ୍ ଦିଆଯାଇଛି ।

ଏହି ହରତାଳକୁ ବିଜେଡି ‘ହକ୍ ପାଇଁ ଲଢେଇ’ ନାଁରେ ନାମିତ କରିଛନ୍ତି । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଯେଭଳି ଅସ୍ୱାଭାବିକ ଭାବେ ବଢିଚାଲିଛି, ତା ଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହୋଇଛନ୍ତି ବିଜେଡିନେତାମାନେ କହିଛନ୍ତି । ଏହି ଆନ୍ଦୋଳନକୁ ବିଜେଡି ପ୍ରତି ଗାଁ ଓ ପ୍ରତି ଚୁଲିମୁଣ୍ଡରେ ପହଞ୍ଚାଇବ । ସାମ୍ବାଦିକ ସମ୍ମିଳନୀରେ ନେତାମାନେ କହିଥିଲେ କି , ତୈଳ ଦର ବୃଦ୍ଧି କରି କେନ୍ଦ୍ର ବିଜେପି ସରକାର ଓଡ଼ିଶା ତଥା ଦେଶର ଗରିବ ଜନସାଧାରଣଙ୍କୁ ଲୁଟ୍ କରି ଘରୋଇ ତୈଳ କମ୍ପାନୀଗୁଡିକୁ ଲାଭ ଦେଉଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅର୍ଦ୍ଧାଧିକ ହ୍ରାସ ପାଇଥିବା ବେଳେ ଉତ୍ପାଦ ଶୁଳ୍କ ଅହେତୁକ ବୃଦ୍ଧି କରି କେନ୍ଦ୍ର ଏନଡିଏ ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ପଦକ୍ଷେପ । ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ସାଧାରଣ ଜନତା ଓ ଖାଉଟିମାନଙ୍କ ସ୍ୱାର୍ଥକୁ ଆଖିବୁଜି ଦେଇ କେନ୍ଦ୍ର ସରକାରଙ୍କ ଲଗାମ ଛଡ଼ା ଦର ବୃଦ୍ଧିକୁ ବିରୋଧ କରି ଆଜି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଦଳ କହିଛି ।

ବିଜେଡି କହିଛି, ଭାରତରେ ତେଲ ଦର ବଢ଼ୁଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ହାସ୍ୟାସ୍ପଦ ଏବଂ ଏହାକୁ ଭାରତବାସୀ କୌଣସିମତେ ଗ୍ରହଣ କରୁନାହାନ୍ତି ବୋଲି ଯୁକ୍ତି ରଖି ବିଜେଡି କହିଛି, ମହାରାଷ୍ଟ୍ରରେ ବିଜେପି ସରକାର ଥାଇ ତେଲ ଉପରେ ଭାଟ୍ ୩୨.୦୭% ନିଆଯାଉଥିବା ବେଳେ ୟୁପିରେ ୩୩%, ଉତ୍ତରାଖଣ୍ଡରେ ୩୫.୯୮%, ରାଜସ୍ଥାନରେ ୩୨.୭୧%, ଝାଡ଼ଖଣ୍ଡରେ ୩୪.୭୪% ଭାଟ୍ ଆଦାୟ କରାଯାଉଛି । ସେହି ତୁଳନାରେ ଓଡ଼ିଶା ସରକାର ତୈଳ ଉପରେ କମ୍ ଭାଟ୍ ନେଉଛି । ଏଭଳି ସ୍ଥିତିରେ କେନ୍ଦ୍ର ଓଡ଼ିଶାକୁ ତୈଳ ଉପରେ ଭାଟ୍ କମାଇବା ପାଇଁ ଉପଦେଶ ଦେବା ଦୁର୍ଭାଗ୍ୟଜନକ ।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ବିଜେଡି କହିଛି, ଅଶୋଧିତ ତୈଳ ଦଳ ଆନ୍ତର୍ଜାତିକ ବଜାରରେ ବଢ଼ିବା-କମିବା ଲାଗିବ ରହିବ । ମାତ୍ର ଆମ ଦେଶରେ ଉତ୍ପାଦ ଶୁଳ୍କ କାହିଁକି ବଢ଼ିବ, ତାହା ବୁଝାପଡୁନାହିଁ । କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ଅର୍ଥାତ୍ ୨୦୧୪ରୁ ଜାନୁଆରୀ ୨୦୧୬ରେ ପେଟ୍ରୋଲ ଉପରେ ୧୦୮% ଉତ୍ପାଦ ଶୁଳ୍କ ବଢ଼ିଛି, ଡିଜେଲ୍ ଉପରେ ୨୮୮.୦୯% ଉତ୍ପାଦ ଶୁଳ୍କ ବଢ଼ିଛି । ଏହା କେଉଁ ପ୍ରକାର ଆଚ୍ଛେଦିନ, ତାହା ଜନସାଧାରଣ ବିଚାର କରିବେ ।

ରନ୍ଧନ ଗ୍ୟାସ ସଂପର୍କରେ ବିଜେଡି କହିଛି କି, ଜୁଲାଇ ପହିଲାରୁ ଗ୍ୟାସ ସିଲିଣ୍ଡର ପିଛା ପ୍ରତି ମାସରେ ୪ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଓଡ଼ିଶାରେ ଘରୋଇ ଏଲ୍ପିଜି ସିଲିଣ୍ଡର ଉପରେ ରାଜ୍ୟ ସରକାର ୨୦୧୧ ମସିହା ଜୁନ୍ ୨୮ରୁ ଭାଟ୍ ଛାଡ଼ କରିଛନ୍ତି। ବର୍ତ୍ତମାନ ଜିଏସଟି କାଉନସିଲ୍ ନିଷ୍ପତ୍ତି ଅନୁସାରେ ଏଲପିଜି ସିଲିଣ୍ଡର ଉପରେ ୫% ଜିଏସଟି ନିଆଯାଉଛି । ଯେହେତୁ ଓଡ଼ିଶାରେ ଆଗରୁ ଏଲପିଜି ସିଲିଣ୍ଡର ଉପରେ ଜିଏସଟି ଛାଡ଼ କରାଯାଇଥିଲା, ବର୍ତ୍ତମାନ କେନ୍ଦ୍ର ଅର୍ଥମନ୍ତ୍ରୀ ଏଲପିଜି ସିଲିଣ୍ଡର ଉପରେ ଜିଏସଟି ଛାଡ଼ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । କାରଣ କେନ୍ଦ୍ର ସରକାର ଜିଏସଟି ଲାଗୁ କରିବା ପରେ ଏଲପିଜି ଦର ୩୨ ଟଙ୍କା ବୃଦ୍ଧି କରିସାରିଛନ୍ତି । ନିକଟ ଅତୀତରେ ତଥାକଥିତ ଉଜ୍ୱଳା ଯୋଜନାରେ ଗ୍ୟାସ୍ ସିଲିଣ୍ଡର ପାଉଥିବା ଗରିବ ହିତାଧିକାରିମାନେ ମଧ୍ୟ ଏହି ମୂଲ୍ୟ ବୃଦ୍ଧି ତଥା ସବ୍ ସିଡି ପ୍ରତ୍ୟାହାରର ଶିକାର ହେବେ । ମାତ୍ର ୧୪% ଗୃହିଣୀମାନେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ସିଲିଣ୍ଡର ଭରିଛନ୍ତି ବୋଲି ବିଜେଡି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଛି ।

ତେବେ ଗୋଟିଏ ପଟେ ବିଜେଡି ତୈଳଦର ପ୍ରତିବାଦରେ ହରତାଳ କରୁଥିବା ବେଳେ ବିଜେପି ଚାଷୀ ସମସ୍ୟା ନେଇ ଆନ୍ଦୋଳନ କରିବ । ତେଣୁ ଉଭୟ ଦଳ ମଧ୍ୟରେ ଆଜି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।