ସମୟ ଗଡୁଛି ସନ୍ଦେହ ବଢୁଛି : କେବେହେବ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା

20

କନକ ବ୍ୟୁରୋ : ରାଜ୍ୟ ପରେ ରାଜ୍ୟର ଉପନିର୍ବାଚନ ତାରିଖ ଘୋଷଣା ହେଉଛି । ହେଲେ ଘୋଷଣା ହେଉନାହିଁ ବିଜେପୁର ଉପନିର୍ବାଚନର ତାରିଖ । ସେପଟେ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁକୁ ଫେବ୍ରୁୟାରୀ ୧୮ ତାରିଖରେ ୬ ମାସ ପୁରୁଛି । ଅଗଷ୍ଟ ମାସରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା । ସେହି ଦିନକୁ ହିସାବ କଲେ ଫେବ୍ରୁୟାରୀ ୧୮ ତାରିଖ ଅର୍ଥାତ ବିଧାୟକ ପଦ ଖାଲି ପଡିବାର ୬ ମାସ ଭିତରେ ନିର୍ବାଚନ ହେବା କଥା । ହେଲେ ଏହି ତାରିଖକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । କାରଣ ବିଜେପୁର ନିର୍ବାଚନ ମାମଲାକୁ ଅକ୍ଟୋବର ମାସରେ ଖାରଜ କରି ନିର୍ବାଚନ ପାଇଁ ପଥ ପରିଷ୍କାର କରିଥିଲେ ହାଇକୋର୍ଟ । ଏହି ଦିନକୁ ହିସାବକୁ ନେଲେ ଏପ୍ରିଲ ୧୬ ତାରିଖରେ ପୂରିବ ୬ ମାସ ।

ସୁବଳ ସାହୁଙ୍କ ମୃତ୍ୟୁ ତାରିଖକୁ ହିସାବକୁ ନିଆଯିବ ନା ଯେଉଁଦିନ ହାଇକୋର୍ଟ ବିଜେପୁର ନିର୍ବାଚନ ମାମଲାକୁ ଖାରଜ କରିଥିଲେ, ତାକୁ ହିସାବକୁ ନିଆଯିବ, ସେ ନେଇ ସୃଷ୍ଟି ହୋଇଛି ବଡ଼ ଧରଣର ସଂଶୟ । ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗୁଜରାଟରୁ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ମଧ୍ୟ ପହଁଚିଛି । କେବଳ ଅପେକ୍ଷା କେବେ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍ ।

ବିଜେପୁର ଆସନ, ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇ ରହିଛି । ବିଜେଡି ଅଭିଯୋଗ କରିଛି, ମୋଦି ସରକାରଙ୍କ ଚାପରେ ବିଜେପୁର ଉପନିର୍ବାଚନର ତାରିଖ ଘୋଷଣା କରୁନାହାନ୍ତି ନିର୍ବାଚନ କମିସନ୍ । ଯେଉଁ ଅଭିଯୋଗକୁ ଭିତ୍ତିହୀନ କହିଛି ବିଜେପି ।