ହାତରେ ଚାଲୁଛନ୍ତି, ପାପୁଲିରେ ବଂଶୀ ବାଦନ କରୁଛନ୍ତି ରାଉରକେଲାର ଶରତ ଚନ୍ଦ୍ର ପଣ୍ଡା : ସଙ୍ଗୀତ ନିର୍ଦ୍ଦେଶକ ଓ ଯୋଗ ଗୁରୁ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ

314

କନକ ବ୍ୟୁରୋ : ହାତରେ ଚାଲୁଛନ୍ତି, ପାପୁଲିରେ ବଂଶୀ ବାଦନ କରୁଛନ୍ତି ରାଉରକେଲାର ଶରତ ଚନ୍ଦ୍ର ପଣ୍ଡା । ଆଉ ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି । ଆଉ ଏହି ସ୍ଥାନରେ ପହଂଚିବା ପାଇଁ ପ୍ରେରଣା ଯୋଗାଇଛି ପିଲାଦିନେ ଗାଁରେ ଦେଖିଥିବା ବାଉଁଶ ରାଣୀ ଖେଳ । କେବଳ ଯୋଗ ଗୁରୁ ନୁହେଁ ସଂଗୀତ ନିର୍ଦେଶକ ଓ ଯୋଗ ଗୁରୁ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଶରତ ପଣ୍ଡା ।

ଗୋଡ ନୁହେଁ ହାତ ଦୁଇଟିରେ ସେ ଲମ୍ବା ବାଟ ଚାଲିପାରନ୍ତି । ବିନା କୌଣସି ପ୍ରଶିକ୍ଷଣରେ ଯୋଗ ସାଧନା କରିଛନ୍ତି । କେବଳ ନିଜେ ଯୋଗ ସାଧନା କରିଛନ୍ତି ତାହା ନୁହେଁ ଜଣେ ଯୋଗଗୁରୁ ଭାବେ ବେଶ ପରିଚିତ ରାଉରକେଲାର ଶରତ ଚନ୍ଦ୍ର ପଣ୍ଡା । ଶାରଳା ସମ୍ମାନରେ ସମ୍ମାନିତ ଏହି ଯୋଗଗୁରୁଙ୍କ ମଧ୍ୟରେ ଆହୁରି ଅନେକ ପ୍ରତିଭା ଭରି ରହିଛି । ସବୁଠାରୁ ବଡ କଥା ହେଲା ଶରତଙ୍କୁ ଯୋଗକଳା ଶିକ୍ଷିବାକୁ ପ୍ରେରଣା ଯୋଗାଇଛି ପିଲାଦିନେ ଗାଁକୁ ଆସୁଥିବା ବାଉଁଶ ରାଣୀ ଖେଳ ।

ଶରତ ଏକାଧାରରେ ଜଣେ ସୁପ୍ରସିଦ୍ଧ ଗାୟକ, ସଂଗୀତ ନିର୍ଦେଶକ, ବିଚାରକ ଏବଂ ଭଳ ବଂଶୀ ବାଦକ । ବିନା ବାଉଁଶ ବଂଶୀରେ ହାତର ଆଙ୍ଗୁଠି ଓ ପାପୁଲି ସାହାଯ୍ୟରେ ଅବିକଳ ବଂଶୀ ବାଦନ କରିପାରନ୍ତି । ଶରତଙ୍କ ଗାୟିକୀ ବି ଖୁବ୍ ସୁନ୍ଦର । ଦୀର୍ଘ ୩୬ ବର୍ଷ ଧରି କଳା, ଯୋଗ ଓ ସଂଗୀତକୁ ଗୁରୁତ୍ୱ ଦେଇ ଆସୁଥିବା ଏହି ପ୍ରତିଭାବାନ ବ୍ୟକ୍ତିତ୍ୱ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସମ୍ମାନ ସାଉଁଟିଛନ୍ତି । ରାଉରକେଲା ଇସ୍ପାତ କାରଖାନାରୁ ଅବସର ଗ୍ରହଣ କରିବା ପରେ ମାଗଣାରେ ଯୋଗ ଶିକ୍ଷା ଦେଉଛନ୍ତି । ଷ୍ଟିଲ ସିଟି ବାସୀଙ୍କୁ ନିରୋଗ ରଖିବା ପାଇଁ ପ୍ରୟାସ ଜାରି ରଖିଥିବା କୁହନ୍ତି ମୁଖ ମୁରଲୀ ଶରତ ପଣ୍ଡା ।