ପାକିସ୍ତାନରେ ହୋଇନପାରେ ଏସିଆ କପ୍ ! ଭାରତ ଦେଲା ବଡ ଝଟକା, ଜାଣନ୍ତୁ ଏସିଆ କପ୍ ଆୟୋଜନ ରେସରେ କିଏ ଆଗରେ?

372

କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ ବୋର୍ଡକୁ ଲାଗିବ ବଡ ଝଟକା । କାରଣ ପାକିସ୍ତାନରେ ଖେଳାଯିବନି ଏସିଆ କପ୍ । ପାକିସ୍ତାନ ବଦଳରେ ଅନ୍ୟ କୌଣସି ଦେଶରେ ଏସିଆ କପ୍ ଖେଳାଯିବା ନେଇ ବିଚାର ଚାଲିଛି । ପୂର୍ବରୁ ପାକିସ୍ତାନରେ ଏସିଆ କପ୍ ଖେଳାଯିବା ନେଇ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ପାକିସ୍ତାନରେ ଏସିଆ କପ୍ ଖେଳାଗଲେ ଭାରତ ନିଜର ଟିମ୍ ପଠାଇବ ନାହିଁ ବୋଲି ମନା କରିଥିଲା । ଯାହାଫଳରେ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଯେପରି ଭାରତ ଭାଗ ନେଇପାରିବ ସେଥିପାଇଁ ଏସିଆ କପରେ ହାଇବ୍ରିଡ ମଡେଲ ଆପଣାଇବାକୁ ପାକିସ୍ତାନ କହିଥିଲା । ହାଇବ୍ରିଡ ମଡେଲ ଅନୁଯାୟୀ, ପାକିସ୍ତାନ ନିଜର ମ୍ୟାଚ୍ ହୋମ ଭେନ୍ୟୁରେ ଖେଳିବାକୁ ଥିବା ବେଳେ ଭାରତ ମ୍ୟାଚ୍ ପାଇଁ ଅନ୍ୟ ଏକ ଭେନ୍ୟୁ ନିର୍ଦ୍ଧାରିତ ହୋଇଥାଆନ୍ତା । ଅଥାର୍ତ ଭାରତ ଏସିଆ କପରେ ଭାଗ ନେଇ ୟୁଏଇରେ ମ୍ୟାଚ୍ ଖେଳିଥାନ୍ତା । କିନ୍ତୁ ଏହି ହାଇବ୍ରିଡ୍ ମଡେଲକୁ ଅନ୍ୟ ଦେଶ ପସନ୍ଦ କରିନଥିଲେ । କାରଣ ଏହି ପ୍ରସାରଣକାରୀ ସଂସ୍ଥା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିନ୍ନ ଭିନ୍ନ ଟିମ୍ ଭିନ୍ନ ଦେଶକୁ ପଠାଇବା ସପକ୍ଷରେ ନଥିଲେ । ସେହିଭଳି ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନରୁ ୟୁଏଇକୁ ବିମାନରେ ଯିବା ଆସିବା ପ୍ରସ୍ତାବକୁ ମଧ୍ୟ ଏସିସିର ସଦସ୍ୟ ଖାରଜ କରିଥିଲେ । ଯେଉଁଥିପାଇଁ ଏସିସି ବୈଠକରେ ପାକିସ୍ତାନର ହାଇବ୍ରିଡ ମଡେଲକୁ କେହି ସମର୍ଥନ କରିନଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି, ଯଦି ପାକିସ୍ତାନରେ ଏସିଆ କପ୍ ଆୟୋଜିତ ହେବନି ତେବେ କେଉଁ ଦେଶରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ?

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବିକଳ୍ପ ଭେନ୍ୟୁ ଭାବେ ୟୁଏଇକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେପ୍ଟେମ୍ବରରେ ୟୁଏଇର ପରିବେଶ ଖେଳାଳୀଙ୍କୁ ଏତେଟା ସୁହାଇବନି । ତେଣୁ ଏସିଆ କପ ଆୟୋଜନ ରେସରେ ଏବେ ଶ୍ରୀଲଙ୍କା ଆଗରେ ରହିଛି । ଶ୍ରୀଲଙ୍କାର ଯେଉଁ କେତୋଟି ଷ୍ଟାଡିୟମ ଖେଳାଯିବ ପରସ୍ପର ମଧ୍ୟରେ ତାହାର ଦୂରତା କମ । ତେଣୁ ବିଭିନ୍ନ ଷ୍ଟାଡିୟମକୁ ଯାତ୍ରା ପାଇଁ ଅଧିକ ସମୟର ଆବଶ୍ୟକତା ପଡିବନି । ତେବେ ଏଭଳି ନିଷ୍ପତ୍ତି ନିଆଯିବା ପାଇଁ କାର୍ଯ୍ୟକାରୀ ସମିତିର ଅନୁମତି ଆବଶ୍ୟକ । ତେଣୁ ଆସନ୍ତା ମାସରେ ଏନେଇ ଏସିସିର ବୈଠକ ହେବା ସହ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ।

ଅନ୍ୟପଟେ ଯଦି ଏମିତି ହୁଏ ତେବେ ପାକିସ୍ତାନ ଏସିଆ କପରେ ଭାଗ ନେବ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । ଏପରିକି ବର୍ଷ ଶେଷ ଆଡକୁ ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପରେ ପାକିସ୍ତାନକୁ ମଧ୍ୟ ଦେଖିବାକୁ ନ ମିଳିପାରେ । କାରଣ ଭାରତ ବାହାରେ ବିଶ୍ୱକପର କୌଣସି ମ୍ୟାଚ୍ କରିବା ସପକ୍ଷରେ ଆଇସିସି ରହିନପାରେ । ଏଭଳିସ୍ଥଳେ ପାକିସ୍ତାନ ମଧ୍ୟ ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପରେ ଭାଗ ନେଇନପାରେ । ଆଇସିସି ଇଭେଣ୍ଟ ହୋଇଥିବାରୁ ପାକିସ୍ତାନ କଣ ପଦକ୍ଷେପ ନେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଦୀର୍ଘ ବର୍ଷ ହେବ ଭାରତ-ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ଭଲ ନଥିବା ବେଳେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ମଧ୍ୟ ଖେଳାଯାଉନାହିଁ । ତେଣୁ ଆଇସିସି ଇଭେଣ୍ଟରେ ଉଭୟ ଦେଶ ମୁହାଁମୁହିଁ ହୋଇଥାନ୍ତି । ତେଣୁ ଆଇସିସି ବିଶ୍ୱକପରେ ଖେଳିବାକୁ ଯଦି ପାକିସ୍ତାନ ରାଜି ନହୁଏ ତେବେ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡିବ ।