ମଣିପୁର ହିଂସା ଘଟଣାରେ ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ବିରୋଧୀ ଏହାକୁ ନେଇ ଗମ୍ଭୀର ନୁହନ୍ତି : ରାଜନାଥ ସିଂ 

124

କନକ ବ୍ୟୁରୋ : ମଣିପୁର ମାମଲାକୁ ନେଇ ଶୁକ୍ରବାର ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ଲୋକସଭାକୁ ଥରେ ମୁଲତବୀ ମଧ୍ୟ କରାଯାଇଛି । ତେବେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଣିପୁର ଘଟଣା ବେଶ ଗମ୍ଭୀର ଘଟଣା । ଏପରିକି ଏହି ଘଟଣା ଭାରତୀୟଙ୍କୁ ଲଜ୍ଜିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମଣିପୁର ବାବଦରେ ସଂସଦରେ ଆଲୋଚନା ହେଉ ତାହା ଆମେ ଚାହୁଁଛୁ । ଏ ବାବଦରେ ସର୍ବଦଳୀୟ ବୈଠକରେ ମଧ୍ୟ କୁହାଯାଇଛି । କିନ୍ତୁ କିଛି ରାଜନୈତିକ ଦଳ ଅନାବଶ୍ୟକ ଭାବେ ଏଭଳି ସ୍ଥିତି ଉତ୍ପନ୍ନ କରୁଛନ୍ତି ଯେପରି ସଂସଦରେ ମଣିପୁର ବାବଦରେ ଚର୍ଚ୍ଚା ହୋଇପାରିବନି । ବିରୋଧୀ ମଣିପୁର ଘଟଣାକୁ ନେଇ ଏତେ ଗମ୍ଭୀର ନୁହନ୍ତି ।

ସେହିଭଳି ବାଚସ୍ପତି ଓମ୍ ବିର୍ଲା ବିରୋଧୀ ଦଳକୁ କହିଛନ୍ତି, ଏହି ଘଟଣାରେ ଆଲୋଚନା ହେବାକୁ ଦିଆଯାଉ । କାରଣ ଆଲୋଚନା ବଳରେ ହିଁ ସମାଧାନ ସାମ୍ନାକୁ ଆସିବ । ଏଭଳି ହୋ ହଲ୍ଲା, ନାରାବାଜି ଦ୍ୱାରା କୌଣସି ସମାଧାନ ମିଳିବ ନାହିଁ । ସରକାର ଯେତେବେଳେ ଚାହୁଁଛନ୍ତି ଏହି ପ୍ରସଙ୍ଗରେ ଚର୍ଚ୍ଚା ହେଉ ବୋଲି ସେତେବେଳେ ଆଲୋଚନାରେ କାହିଁକି ବାଧା ଆଣୁଛନ୍ତି ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ବାଚସ୍ପତି ।

ଅନ୍ୟପଟେ ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି, ମଣିପୁର ବାବଦରେ ଆଲୋଚନା ପାଇଁ ଦେଇଥିବା ନୋଟିସକୁ ଅସ୍ୱୀକାର କରାଯାଇଛି । ଏହା ଏକଛତ୍ରବାଦୀ ଆଭିମୁଖ୍ୟରୁ କମ ନୁହେଁ । ମଣିପୁରରେ ହିଂସା ହେଉଛି, ଲୋକଙ୍କ ଜୀବନ ଯାଉଛି, ମହିଳାଙ୍କୁ ଉଲଗ୍ନ କରାଯାଉଛି, କିନ୍ତୁ ଦେଶର ଉଚ୍ଚ ସଦନରେ ଏନେଇ କହିବାକୁ ଅନୁମତି ମିଳୁନାହିଁ । କିନ୍ତୁ ଏଭଳି ଏକଛତ୍ରବାଦର ନିଶ୍ଚିତ ଅନ୍ତ ହେବ ବୋଲି କହିଛନ୍ତି ସଞ୍ଜୟ ।