ବାଲେଶ୍ୱର ଭୋଗରାଇରେ ଲଜ୍ଜାଜନକ ଘଟଣା : କଲେଜ୍ ଛାତ୍ରୀଙ୍କୁ ଉଲଗ୍ନ କରି ନିର୍ଯାତନା ଦେଲେ ଦୁର୍ବୃତ୍ତ,କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ସ୍ୱର

1,145

କନକ ବ୍ୟୁରୋ : ଜଣେ କଲେଜ ଛାତ୍ରୀଙ୍କୁ ଜୋରଜବରଦସ୍ତ ଉଲଗ୍ନ କରି ଏପରି ଭୟଙ୍କର ଭାବେ ନିର୍ଯାତନା ଦିଆଯାଇଛି, ତାହା ଜାଣିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ହୋଇଯିବ । କେବଳ ସେତିକି ନୁହେଁ ପୂରା ଘଟଣାକୁ ସୁଟିଂ କରି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଭିଡିଓରେ ଥିବା ଦୃଶ୍ୟ ଅତ୍ୟନ୍ତ ସମ୍ବେଦନଶୀଳ । ଯୌନ ନିର୍ଯାତନାର ଏହି ଭିଡିଓ ଆସିଛି ବାଲେଶ୍ୱର ଭୋଗରାଇ ବ୍ଳକ ଅଂଚଳରୁ । ଏହି ଲଜ୍ଜାଜନକ ଘଟଣା ପର୍ଯ୍ୟଟନ ସ୍ଥଳ ତଳସାରି ବିଚରେ ଘଟିଥିବା କୁହାଯାଉଛି । ସ୍ଥାନୀୟ ଏକ କଲେଜର ଜଣେ ଛାତ୍ର ଓ ଛାତ୍ରୀ ବୁଲିବାକୁ ଯାଇଥିବା ବେଳେ ମୋଟର ସାଇକେଲରେ ଜଣେ ଯୁବକ ସୁବର୍ଣ୍ଣପୁରକୁ ବୁଲାଇ ନେବାକୁ କହି ସେମାନଙ୍କୁ ସାଙ୍ଗରେ ନେଇଥିଲା ।

ସେଠାରେ ଯୋଜନାବଦ୍ଧ ଭାବେ ପୂର୍ବରୁ ସେଠାରେ ରହିଥିବା ୪ ଜଣ ଓ ମୋଟର ସାଇକଲରେ ଯୁବକ ମିଶି ଧର୍ଷଣ କରି ହତ୍ୟା ଧମକ ଦେଇଥିଲେ । ଏହା ପରେ ଆରମ୍ଭ ହୋଇଯାଇଛି ଅସାମାଜିକ ଯୁବକଙ୍କ ସଇତାନୀ ଖେଳ । ଛାତ୍ରୀଙ୍କୁ ଧମକ ଚମକ ଦେଇ ଉଲଗ୍ନ କରି ମୋବାଇଲରେ ସୁଟିଂ କରିଥିଲେ । ସର୍ବସାଧାରଣ ସ୍ଥାନରେ ହୋଇଛି ଏଭଳି ଅମାନବୀୟ କାଣ୍ଡ । ନା’ ଅଛି ଆଇନକୁ ଭୟ, ନା ଅଛି ମାନବିକତା । ପଶୁ ପାଲଟି ଯାଇଥିଲେ ଅଭିଯୁକ୍ତମାନେ ।  ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।